ଓଡ଼ିଶାରେ ଜୈବିକ କୃଷି ନେଇ ଆଲୋଚନା
ଭୁବନେଶ୍ୱର,୦୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଇସ୍ରାଏଲ୍ର ଇନ୍ସେକ୍ଟିକା କମ୍ପାନୀର ଅଧ୍ୟକ୍ଷ ବେଞ୍ଜାମିନ୍ ରୁବିନ୍ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ମି. ରୁବିନ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମ୍ମୁଖରେ ନିଜ କମ୍ପାନୀ ବିଷୟରେ ଏକ ଉପସ୍ଥାପନା ରଖିଥିଲେ । ଏହି ସାକ୍ଷାତକାର ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ବଶିଷ୍ଠ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଇନ୍ସେନ୍ଟିକାର ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ସାଂପ୍ରତିକ ସମୟରେ ଜୈବିକ କୃଷିର ଗୁରୁତ୍ୱ ଓ ଆବଶ୍ୟକତା ବୃଦ୍ଧି ପାଇଛି । ବ୍ଲାକ୍ ସୋଲ୍ଜର ଫ୍ଲାଏ ଆମ ଦୈନନ୍ଦିନ ଜୀବନରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ବିଘଟନ କରିଥାଏ । ଏହି କ୍ରମରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କମ୍ପାନୀ ବ୍ଲାକ୍ ସୋଲଜର ଫ୍ଲାଏର ଲାଭାରୁ ଜୈବିକ ପ୍ରଣାଳୀରେ ମାଛ, କୁକୁଡ଼ାମାନଙ୍କ ନିମନ୍ତେ ଖାଦ୍ୟ ଏବଂ ବାୟୋଫର୍ଟିଲାଇଜର୍ ପ୍ରସ୍ତୁତ କରିଥାଏ । ଓଡ଼ିଶାରେ ଜୈବିକ କୃଷି ଉପରେ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ମି. ରୁବିନ୍ ଏହି ଜୈବିକ ପ୍ରକ୍ରିୟାରେ ପ୍ରସ୍ତୁତ ବାୟୋଫର୍ଟିଲାଇଜରକୁ ଓଡ଼ିଶାରେ ବିକ୍ରୟ ପାଇଁ ପ୍ରସ୍ତାବ ଦେଇଥିଲେ ।
କମ୍ପାନୀ ବାବଦରେ ବିସ୍ତୃତ ବିଶ୍ଳେଷଣ ଏବଂ ଲାଇସେନ୍ସ ଆଦି ଯାଞ୍ଚ ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।
-0-