ଗଣତନ୍ତ୍ରରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଜରୁରୀ : ବାଚସ୍ପତି
ଭୁବନେଶ୍ୱର, ୦୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ବିଦେଶ ଗସ୍ତ ଅବସରରେ ଆଜି ଅଷ୍ଟ୍ରେଲିଆର ସିଡ୍ନିଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀରେ ଯୋଗଦେଇ ‘ସଂସଦୀୟ କାର୍ଯ୍ୟପଦ୍ଧତି ଓ କାର୍ଯ୍ୟଧାରାରେ କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ, ସୁଯୋଗ ଓ ଆହ୍ୱାନ’ ଶୀର୍ଷକ କର୍ମଶାଳାରେ ନିଜର ମତ ଓ ବକ୍ତବ୍ୟ ଉପସ୍ଥାପନ କରି କହିଲେ ଯେ, କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ ସମୟରେ ଆମକୁ ଏହାର ସକରାତ୍ମକ ଓ ନକରାତ୍ମକ ଉଭୟ ଦିଗ ପ୍ରତି ସଚେତନ ରହି କାର୍ଯ୍ୟ କରିବାକୁ ପଡ଼ିବ । ଯଦିଓ ଦୁନିଆ ଏବେ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇ ପାରମ୍ପରିକ କାର୍ଯ୍ୟପଦ୍ଧତି ଓ ଧାରାରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି, ତେବେ ବି ମଧ୍ୟ ସଂସଦୀୟ କାର୍ଯ୍ୟାଧାରାରେ ଜନମତର ପ୍ରାଧାନ୍ୟ ରହିଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମକୁ ସର୍ବଦା ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀ ସିଡ୍ନିଠାରେ ଚଳିତ ମାସ ନଭେମ୍ବର ୩ରୁ ଆରମ୍ଭ ହୋଇ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ଗୋଷ୍ଠୀ ସଂଘର ବିଭିନ୍ନ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି ।
‘ବ୍ୟବସ୍ଥାପକ ସଭାର ସମର୍ଥନ ଓ ସହଯୋଗରେ କିପରି ତୃତୀୟଲିଙ୍ଗି, କିନ୍ନର ଓ ଟ୍ରାନ୍ସଜେଣ୍ଡରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ’ ଏ ସମ୍ପର୍କରେ ବାଚସ୍ପତି ଦ୍ୱିତୀୟାର୍ଦ୍ଧରେ ତାଙ୍କର ମତ ଓ ବକ୍ତବ୍ୟ ରଖି କହିଲେ ଯେ ଗଣତାନ୍ତ୍ରିକ ପଦ୍ଧତିରେ ଆମର ସମ୍ବିଧାନ ସମସ୍ତଙ୍କୁ ବଞ୍ଚିବାର ସମାନ ଅଧିକାର ଦେଇଛି । ତେବେ ସ୍ଥଳବିଶେଷରେ ଏଲ୍ଜିବିଟିକୁ୍ୟ(ଣ୍ଟ)ମାନଙ୍କ କ୍ଷେତ୍ରରେ ସାମାଜିକ ଭେଦଭାବ ପରିଲକ୍ଷିତ ହୋଇଥାଏ । ଏହାର ପରିସମାପ୍ତି ପାଇଁ ସମସ୍ତେ ଆଗେଇ ଆସିବା ଉଚିତ । ଏ କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରୁ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ । ତା’ହେଲେ ଯାଇ ଏକ ସୁସ୍ଥ ତାରତମ୍ୟବିହୀନ ସହାବସ୍ଥାନ ସମ୍ଭବ ହୋଇପାରିବ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କର ସହଯୋଗ ରହିପାରିବ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।
ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।
-0-
ବିଭୂତିନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ