ଯାଜପୁର ଠାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

ଯାଜପୁର, ୨୯/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଅଛି। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ କହିଲେ ୧୯୯୯ ମହାବାତ୍ୟା ଅକ୍ଟୋବର ୨୯ ଜନିତ କ୍ଷୟ କ୍ଷତି ଯୋଗୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଏହାର ମୁକାବିଲା ପାଇଁ ଗାଇଡ ଲାଇନ୍ ପ୍ରସ୍ତୁତି କରିଥିଲେ। ଏବେ ବାତ୍ୟା “ଦାନା” ର ପ୍ରଭାବକୁ ଆମେ ସଫଳ ଭାବେ ମୁକାବିଲା କରିପାରିଛୁ। ସେଥିପାଇଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏବେବି ସବୁ ଜାଗାରେ କ୍ଷୟ କ୍ଷତି ଆକଳନ କରାଯାଉଛି। ଆମେ ଜାଣିପାରୁଛୁ ଆମେ ଠିକ୍ ଭାବେ ପୂର୍ବ ପ୍ରସ୍ତୁତି ହେଲେ ଭଲ ଭାବରେ ବିପର୍ଯ୍ୟୟକୁ ସାମନା କରିପାରିବା। ଠିକ୍ ଭାବରେ ପ୍ରସ୍ତୁତି ନହେଲେ ଧନ ଜୀବନ କ୍ଷୟ କ୍ଷତି ହୋଇଥାନ୍ତା। ଏବେ ଲୋକମାନେ ବହୁତ ସଚେତନ ହେଲେଣି ବାତ୍ୟା ଭଳି ବନ୍ୟା, ଭୂମିକମ୍ପ, ରାସାୟନିକ ଦୁର୍ଘଟଣା, ପେଟ୍ରୋଲିୟମ ଓ ଗ୍ୟାସ ଦୁର୍ଘଟଣା ଇତ୍ୟାଦି ମୁକାବିଲା ନିମନ୍ତେ ମଧ୍ୟ ପ୍ରସ୍ତୁତି ଓ ସଚେତନ ହେବାକୁ ପଡିବ। ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗାନ୍ଧୀ ଛକ, ହାବେଳି ବଜାର, ବଡ଼ ବଜାର ଜଗନ୍ନାଥ ମନ୍ଦିର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ପତାକା ଦେଖାଇ ଏହି ଶୋଭାଯାତ୍ରା କୁ ଶୁଭାରମ୍ଭ କରିଥିଲେ। ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ଜରୁରୀ କାର୍ଯ୍ୟାଳୟର  କର୍ମକର୍ତ୍ତାମାନେ ଶୋଭାଯାତ୍ରା ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ସ୍ତରୀୟ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଡେପୁଟି କଲେକ୍ଟର, ଛାତ୍ର ଛାତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *