ଚାଷୀମାନଙ୍କ ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ,ତାହାକୁ ଯୋଗାଇ ଦେବାକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି : ଶ୍ରୀ ସିଂହଦେଓ
ଭୁବନେଶ୍ୱର, ୨୬/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବାତ୍ୟା ‘ଦାନା’ଜନିତ ଫସଲ କ୍ଷୟକ୍ଷତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ୍ ପୱନ କଲ୍ୟାଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀବୃନ୍ଦ ଯୋଗଦେଇଥିଲେ ।
ବର୍ଷା କମିବା ପରେ ଅଫିସରମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ସରକାର ଓ କୃଷି ବିଭାଗକୁ ପଠାଇବେ ଓ ସେହି ରିପୋର୍ଟକୁ ଆଧାର କରି କୃଷି ବିଭାଗ, ଏସ୍ଆର୍ସି ନିର୍ଦ୍ଦେଶ ଅନୁଯାୟୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସ ଦ୍ୱାରା ଆବଶ୍ୟକ ନିଷ୍ପତ୍ତି ନିଆଯିବ । ଚାଷୀମାନଙ୍କ ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ, ତାହାକୁ ଯୋଗାଇ ଦେବାକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ୧୪ ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ପ୍ରାଥମିକ ଭାବେ ୫ ଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାର ଚାଷଜମି ଜଳମଗ୍ନ ହେବା ସହ ଫସଲହାନି ହେବା ଆଶଙ୍କା କରାଯାଇଛି । ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକର ୮୮,୫୯୪ ହେକଟର ଜମି ଜଳମଗ୍ନ ହୋଇଥିବାବେଳେ ୨୪,୮୨୭ ହେକଟର ଚାଷଜମିରେ ଫସଲହାନି ଆକଳନ କରାଯାଇଛି । ସେହିପରି, କେନ୍ଦ୍ରାପଡ଼ାର ୮ ଗୋଟି ବ୍ଲକରେ ପ୍ରାୟ ୨୮,୪୨୬ ହେକଟର ଜମି ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୧୨ ଗୋଟି ବ୍ଲକର ୪୩୯୬ ହେକଟର ଜମି ଜଳମଗ୍ନ ଥିବାବେଳେ ୩୧୪୦ ହେକଟର ଜମି ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାର ୭ ଗୋଟି ବ୍ଲକର ୧୭,୬୬୬ ହେକଟର ଜମି ଜଳମଗ୍ନ ଥିବାବେଳେ ୨୧,୭୦୯ ହେକଟର ଜମି ପ୍ରଭାବିତ ହୋଇଛି ।ଏବଂ ମୟୂରଭଞ୍ଜ ଜିଲ୍ଲାର ୧୬ ଗୋଟି ବ୍ଲକରୁ ୧୮୭୨ ହେକଟର ଜମି ଜଳମଗ୍ନ ଓ ୨୩୮୧ ହେକଟର ଜମି ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯାହାଙ୍କ ପାଖରେ ୨ ହେକଟଋ ପର୍ଯ୍ୟନ୍ତ ଚାଷଜମି ଥିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୩୩ ପ୍ରତିଶତରୁ ଅଧିକ ଫସଲ ହାନି କ୍ଷେତ୍ରରେ ସରକାରଙ୍କ ଧାର୍ଯ୍ୟ ସହାୟତା ମୂଲ୍ୟ ରେନଫେଡ଼ ଏରିଆରେ ହେକଟର ପିଛା ୮୫୦୦ ଟଙ୍କା, ନିଶ୍ଚିତ ଜଳସେଚନ (Assured Irrigation) ଏରିଆରେ ହେକଟର ପିଛା ୧୭,୦୦୦ ଟଙ୍କା ଏବଂ perennial crops ପାଇଁ ହେକଟର ପିଛା ୨୨,୫୦୦ ଟଙ୍କା ରହିଛି । ସମସ୍ତ ତଥ୍ୟ ମିଳିବା ପରେ ସରକାର ଏ ଦିଗରେ ନିଷ୍ପତ୍ତି ନେବେ ବୋଲି ବିଭାଗୀୟ ସଚିବ ଡ. ପାଢୀ କହିଥିଲେ ।
-0-
ସୁଶ୍ରୀ ସଙ୍ଗୀତା ମହାରଣା ,ଲୋକସମ୍ପର୍କ ଅଧିକାରୀ