କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର, ୨୩/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ୯ମ ବୈଠକ ଲୋକସେବା ଭବନର ୩ୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ ଟି ,ଅର୍ଥ ବିଭାଗର ୧ ଟି , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧ ଟି,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି ,ମହିଳା ଓ ଶିଶୁ ବିକାଶ ବିଭାଗର ୧ ଟି ଏହିପରି ୬ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଗଣ ମାଧ୍ୟମକୁ ବିଷଦ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, କ୍ୟାବିନେଟ ବୈଠକରେ ଓଡିଶା ଜିଏସଟି ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ୩୪ଟି ବିଷୟ ଉପରେ ସଂଶୋଧନ କରାଯାଇଛି। ଏବେ ବିଧାନସଭା ଅଧିବେଶନ ନ ଥିବାରୁ ଅଧ୍ୟାଦେଶ ଜରିଆରେ ଏହି ସଂଶୋଧନ କରାଯାଇଥିବା ଶ୍ରୀ ଆହୁଜା ସୂଚନା ଦେଇଛନ୍ତି। ଏହି ସଂଶୋଧନ କାରଦାତାଙ୍କୁ ସୁହାଇବା ବୋଲି ଜଣାପଡିଛି। ସେହିପରି ସୁଭଦ୍ରା ଯୋଜନାରେ ସଂଶୋଧନ ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁଣି ଥରେ ବିଚାର କରାଯିବ। ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ଆବେଦନ ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନ ପଡି ରହିଛି। ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ଯୋଜନାରେ ୫ ବର୍ଷ ବଜେଟ୍ରେ ୫୫.୮୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ୧ କୋଟିରୁ ଅଧିକ ଆବେଦକାରୀ ନାମ ପଞ୍ଜୀକରଣ କରିସାରିଛନ୍ତି। ମୋଟ୍ ୨ଟି ପର୍ୟ୍ୟାୟରେ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୁମୋଦନ କରାଯାଇଛି।
ସେହିପରି କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କାରେ ଧାନ କିଣାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହା ଛଡା ରାଜ୍ୟରେ ଧାନ କ୍ରୟ ପାଇଁ ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲାଯିବ ଓ ସମବାୟ ସମିତି ଜରିଆରେ ଏହା ସ୍ଥାପନ କରାଯିବ।

Leave a Reply

Your email address will not be published. Required fields are marked *