ବାତ୍ୟା ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ଜିଲା ଦାୟୀତ୍ୱ

କେନ୍ଦ୍ରାପଡ଼ା, ୨୨/୧୦/୨୦୨୪ (ଓଡ଼ିଶା ସମାଚାର)- ବାତ୍ୟା ‘ଦାନା’ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି, ଉଦ୍ଧାର ଏବଂ ରିଲିଫ ପ୍ରଦାନ ପ୍ରଭୃତି କାର୍ଯ୍ୟକୁ ତଦାରଖ କରିବା ପାଇଁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କୁ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲା ନିମନ୍ତେ ନିଯୁକ୍ତି ପ୍ରଦାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ପୁରୀ ଓ ଜଗତସିଂହପୁର ଭଳି ଅନ୍ୟ ୫ଟି ଜିଲା ନିମନ୍ତେ ଜଣେ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏକ ନିର୍ଦେଶନାମା ଜାରି କରିଛନ୍ତି । ସମସ୍ତ ଅଧିକାରୀମାନଙ୍କୁ ଆସନ୍ତା ୨୩ତାରିଖ ସକାଳ ସୁଦ୍ଧା ସଂପୃକ୍ତ ଜିଲା ସଦର ମହକୁମାରେ ନିଶ୍ଚିନ୍ତ ଭାବେ ପହଂଚିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାଂଚଳ ପାଇଁ ୨୨ତାରିଖ ଠାରୁ ବାତ୍ୟା ପ୍ରସ୍ତୁତି, ବାତ୍ୟା ପରବର୍ତୀ ପଦକ୍ଷେପକୁ ତଦାରଖ ଓ ସମୀକ୍ଷା କରିବା ନିମନ୍ତେ ବରିଷ୍ଠ ଅଧିକାରୀ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାର ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ନେଇ ବିଭାଗ ପକ୍ଷରୁ ନିର୍ଦେଶକ ପୌର ପ୍ରଶାସନଙ୍କ ଦ୍ୱାରା ଏକ ନିର୍ଦେଶନାମା ଆଜି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *