ଭୁବନେଶ୍ୱର, ୨୦/୧୦/୨୦୨୪ (ଓଡ଼ିଶା ସମାଚାର)- ୨୦୨୨ ଓଏଏସ୍ ରେଜଲ୍ଟ ଶନିବାର ପ୍ରକାଶ ପାଇଛି । ଏହାର ତାଲିକା ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍ସାଇଟ୍ www.opsc.gov.inରେ ଉପଲବ୍ଧ। ଏଥିରେ ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଏବଂ ୫ ପୁରୁଷ ଅଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ରାଜ୍ୟ ଟପ୍ପର ହୋଇଥିବାବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ଏବଂ ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୪ର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ ରହିଥିବା ବେଳେ ୫ମ ସ୍ଥାନରେ ଆଜାଦ ସାହୁ, ୬ଷ୍ଠ ସ୍ଥାନରେ ଦୀପମ ରାଉତ, ୭ମ ସ୍ଥାନରେ ଦେବଦ୍ରତ ଗୌଡ଼,୮ମ ସ୍ଥାନରେ ଆଦିତ୍ୟ ଦୀପଙ୍କର ରାଉତ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।
କୃତକାର୍ଯ୍ୟ ହୋଇଥିବା ମୋଟ ୬୮୩ ଜଣଙ୍କ ମଧ୍ୟରେ ଅଣସଂରକ୍ଷିତ ବର୍ଗରେ ୩୮୭ (୧୪୨-ମହିଳା), ଏସ୍ଇବିସି ବର୍ଗରେ ୭୧ (୨୩ ମହିଳା), ଅନୁସୂଚିତ ଜାତି ବର୍ଗରେ ୮୯ (୩୬ ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୩୬ (୫୭ ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪ ଜଣ, କ୍ରୀଡ଼ାବିତ୍ ବର୍ଗରେ ଜଣେ ଓ ଶାରୀରିକ ଅକ୍ଷମ ବର୍ଗରେ ୨୩ ଜଣ (୫ ମହିଳା) ରହିଛନ୍ତି। ଓଡ଼ିଶା ସିଭିଲ ସର୍ଭିସ-୨୦୨୨ ପରୀକ୍ଷା ପାଇଁ ୨୦୨୨ ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬୮୩ (୨୨୭ ମହିଳା) ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମୋଟ ୯ ଲକ୍ଷ ୨ ହଜାର ୯୧୪ (୩ ଲକ୍ଷ ୪ ହଜାର ୭୧୨ ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ। ଏଥିରୁ ୪୦ ହଜାର ୫୮୬(୧୪ ହଜାର ୮୫୨ ମହିଳା) ପ୍ରାର୍ଥୀ ଗଲା ୨୦୨୩ ଅକ୍ଟୋବର ୧୫ରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ। ଏଥିରୁ ୮ ହଜାର ୨୨୦ (୨ ହଜାର ୭୩୦ ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ପରେ ଓଡ଼ିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା ଗଲା ୨୦୨୪ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ମୋଟ ୬୬୩୯(୨୩୩୭ ମହିଳା) ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୩୬୭ (୪୯୩ ମହିଳା)ପ୍ରାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ମନୋନୀତ କରାଯାଇଥିଲା। ଗଲା ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ତାରିଖ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୬୮୩ ଜଣଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ଦିଆଯାଇଛି।