ଆସନ୍ତା ଦଶହରାରେ ୧୨ହାତ ଖଡ୍ଗ ଶୋଭାଯାତ୍ରା ନେଇ ପ୍ରସ୍ତୁତି ବୈଠକ

ରାଉରକେଲା, ୦୬/୧୦/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ୧୩ ତାରିଖ ଦଶହରା ଦିନ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ୧୨ହାତ ଖଡ୍ଗ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତା , ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ସଭାପତି ଦିଲ୍ଲିପ ରାୟଙ୍କ ପ୍ରତିନିଧି ହରିହର ରାଉତରାୟ ଅତିଥି ଭାବେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରିଥିଲେ। ଏହି ବୈଠକରେ ମହାସଭାର ମରାମତି, ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ଵ ବଣ୍ଟନ, ବିଶେଷ କରି ଦଶହରା ଦିନ ଖଡ୍ଗ ଶୋଭାଯାତ୍ରା କିପରି ଶୃଙ୍ଖଳିତ ଢଙ୍ଗରେ ସମାପନ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୂର୍ବାହ୍ନ ୯ ଟାରେ ଖଡ୍ଗ ଶୋଭାଯାତ୍ରା ମହାସଭା ଭବନରୁ ବାହାରି ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚି ସେଠାରେ ମାଲ୍ୟାର୍ପଣ ପରେ ପୁଣି ଖଡ୍ଗ ଭବନ କୁ ଫେରିବାକୁ ଥିବା ବେଳେ ଅଗ୍ରଭାଗରେ ମହିଳା ମାନେ ନେତୃତ୍ୱ ନେବେ। ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମରେ ସଭାପତି ଦିଲ୍ଲିପ ରାୟ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ। ପରେ ମହାସଭା ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଛି ସମର୍ପିତ ଥିବା ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନଙ୍କୁ ସମ୍ବର୍ଦ୍ଧିତ ଓ ପରେ ବିଶିଷ୍ଟ ବକ୍ତାଙ୍କ ଦ୍ବାରା ଖଣ୍ଡାୟତ କ୍ଷତ୍ରିୟ ଙ୍କ ଐତିହ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଛି। ଶେଷରେ ସମସ୍ତେ ପ୍ରସାଦ ସେବନରେ ସମ୍ମିଳିତ ହେବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଶତାଧିକ ଖଣ୍ଡାୟତ କ୍ଷତ୍ରିୟ ଭାଇ ଓ ଭଉଣୀମାନେ ଯୋଗଦେଇ ଏହି ବୈଠକରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଉପସଭାପତି ରବିନାରାୟଣ ପରିଡ଼ା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଖଣ୍ଡାୟତ କ୍ଷତ୍ରିୟ ଭାଇ ଓ ଭଉଣୀମାନେ ଯୋଗଦେଇ ନିଜର ଐକ୍ୟବଦ୍ଧତା ପ୍ରଦର୍ଶନ ସହ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *