ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ଭଷାଣରେ ଭାଗନେବେ ୪୭ ମେଢ଼
କେନ୍ଦ୍ରାପଡ଼ା, ୩୦/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସୋମବାର କେନ୍ଦ୍ରାପଡ଼ା ପୌରପାଳିକା ଟାଉନହଲ୍ ପରିସରରେ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡ଼ା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, କେନ୍ଦ୍ରାପଡ଼ା ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ଅତରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ସଲିମ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶାନ୍ତିଶୃଙ୍ଖଳା ସହିତ ଗଜଲକ୍ଷ୍ମୀ ପୂଜା ଆୟୋଜନ ନିମନ୍ତେ ଉପସ୍ଥିତ ଶାନ୍ତି କମିଟିର କର୍ମକର୍ତାଙ୍କୁ ନିବେଦନ କରିଥିଲେ । ପୂଜା କମିଟି ଗୁଡିକ ଯେପରି ସହଜରେ ଅନୁମତିପତ୍ର ପାଇବେ ସେ ଦିଗରେ ଯତ୍ନବାନ ହେବାକୁ ଉପଜିଲାପାଳ, ଅଗ୍ନିଶମ ବିଭାଗ, ବିଦୁ୍ୟତ ବିଭାଗକୁ ସମସ୍ତ ସହଯୋଗ ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆ କହିଥିଲେ । ପୂଜା ପୂର୍ବରୁ ରାସ୍ତାଘାଟ ଓ ନାଳ ମରାମତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ରାତି ୧୦ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଅନୁମତି ପ୍ରଦାନ କରାଯିବା ବୋଲି କହିଥିବା ବେଳେ ପୂଜା କମିଟିର ସଦସ୍ୟମାନେ ଭସାଣି ଓ ମେଳଣ ଦିନ ରାତି ୧୨ ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଗୃହ ବିଭାଗ ଠାରୁ ଅନୁମତି ଆଣିବା ନିମନ୍ତେ ଅନୁରୋଧ କରିଥିଲେ । ୪୭ଟି ମେଢ଼ ଭସାଣୀ ପର୍ବରେ ଭାଗ ନେବେ । ସାଆନ୍ତସାହି ପୋଲ କେଶପୁର ବଜାର ଆଡ଼କୁ ୨୧ଟି ମେଢ଼ ଯିବାକୁ ସ୍ଥିର ହୋଇଥିବା ବେଳେ ୨୬ଟି ମେଢ଼ ନୂଆ ବସଷ୍ଟାଣ୍ଡ ଆଡ଼କୁ ଯିବେ । ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷାକରି ଶାନ୍ତିପୂର୍ଣ୍ଣ ପୂଜା ପାଳନ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ନିବେଦନ କରିଥିଲେ । ପୂଜା ସମୟରେ ଓ ଭଷାଣ ଶୋଭାଯାତ୍ରା ବେଳେ ୬୫ ଡେସିବଲରୁ ଅଧିକା ଶବ୍ଦ ନ କରିବା ପାଇଁ ଜିଲାପାଳ ନିବେଦନ କରିଥିଲେ । ଗଜଲକ୍ଷ୍ମୀ ପୂଜାକୁ ପଲିଥିନ ମୁକ୍ତ ରଖିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଏକମୁଖୀ ରାସ୍ତା ପ୍ରଚଳନ, ସୂଚନା କେନ୍ଦ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ବେଆଇନ୍ ଚାନ୍ଦା ଆଦାୟ ବନ୍ଦ, ନାଳ ସଫେଇ, ବ୍ଲିଚିଙ୍ଗ୍ ପାଉଡର୍ ପକାଇବା, ବାସିଖାଦ୍ୟ ବିକ୍ରି ଉପରେ ଚଢ଼ାଉ କରିବା, ଆମ୍ବୁଲାନ୍ସ ସେବା ଯୋଗାଇଦେବା, ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ପୂଜା ଓ ଭସାଣୀ ସମୟରେ କୌଣସି ଅଶ୍ଲୀଳ ଗୀତ ବା ନାଚକୁ ଅନୁମତି ପ୍ରଦାନ କରାଯିବ ନାହିଁ । ଶେଷରେ କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ରାସ୍ତା ଓ ଗୃହ ନିର୍ମାଣ, ଜନସ୍ୱାସ୍ଥ୍ୟ, ଟିପିସିଓଡିଏଲ୍, ଜଳସେଚନ ବିଭାଗ, ଅଗ୍ନିଶମ ବିଭାଗ, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ବିଭିନ୍ନ ପୂଜା କମିଟି କର୍ମକର୍ତା, ଶାନ୍ତି କମିଟି ଓ ପୌରପରିଷଦର କାଉନସିଲରମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *