ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ

                                         ଓଡ଼ିଶାର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଜନଜାତି ପରିବାର ହେବେ ଉପକୃତ

ଭୁବନେଶ୍ୱର, ୧୯ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ୨୭ ଟି ଜିଲ୍ଲାର ୨୩୨ ବ୍ଲକର ୭୬୬୭ ଟି ଜନଜାତି ବହୁଳ ଗାଁର ୧୦,୮୫,୬୬୧ ଜନଜାତି ପରିବାର ଉପକୃତ ହେବେ । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ଏହି ଅଭିଯାନରେ ୨୫ ଟି କାର୍ଯ୍ୟକ୍ରମ ସାମିଲ ହେବ ଏବଂ ଏହା ୧୭ ଟି ମନ୍ତ୍ରାଳୟ ତଥା ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବ । ଭିତ୍ତିଭୂମି ବିକାଶ, ସାମାଜିକ-ଅର୍ଥନୈତିକ ସଶକ୍ତିକରଣ, ସମସ୍ତଙ୍କ ପାଇଁ ଉତ୍ତମ ଶିକ୍ଷା ତଥା ସ୍ବାସ୍ଥ୍ୟକର ଜୀବନ ସହ ସମ୍ମାନଜନକ ବାର୍ଦ୍ଧକ୍ୟକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦେଶ୍ୟ ରଖାଯାଇଛି ।

ଏହି ଅଭିଯାନରେ ଆଦିବାସୀ ବହୁଳ ଅଞ୍ଚଳରେ ହୋମ୍ ଷ୍ଟେ କାର୍ଯ୍ୟକ୍ରମ, ଜଙ୍ଗଲ ଅଧିକାର ଆଇନ ଅଧିନରେ ପଟ୍ଟା ପାଇଥିବା ଲୋକଙ୍କ ପାଇଁ ସହାୟତା ଏବଂ ସିକଲ୍ ସେଲ୍ ପରି ରୋଗ ପରିଚାଳନା ଭଳି ଅଭିନବ ପଦକ୍ଷେପକୁ ପ୍ରୋତ୍ସାହିତ କରାଯିବ । ତେବେ ଏହି ଅଭିଯାନ ଅଧିନରେ ହୋଇଥିବା ଅଗ୍ରଗତିକୁ ପିଏମ-ଗତିଶକ୍ତି ପୋର୍ଟାଲ ମାଧ୍ୟମରେ ନିରୀକ୍ଷଣ କରାଯିବ ।

ସୂଚନାଯୋଗ୍ୟ, ୧୮ ସେପ୍ଟେମ୍ବରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ୭୯,୧୫୬ କୋଟି ବ୍ୟୟ ବରାଦ ଥିବା ଏହି ଅଭିଯାନରେ ଦେଶର ୩୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୬୩,୦୦୦ ଗ୍ରାମରେ ରହୁଥିବା ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ବ୍ୟୟବରାଦରୁ କେନ୍ଦ୍ର ସରକାର ୫୬,୩୩୩ କୋଟି ଟଙ୍କା ବହନ କରୁଥିବା ବେଳେ ରାଜ୍ୟଗୁଡ଼ିକ ୨୨,୮୨୩ କୋଟି ଟଙ୍କାର ବ୍ୟୟ ଭାର ବହନ କରିବେ । ଏହି ଅଭିଯାନ ଦେଶର ୫୪୯ ଟି ଆଦିବାସୀ ବହୁଳ ଜିଲ୍ଲା ଏବଂ ୨୭୪୦ ବ୍ଲକରେ ଏକ ସମୟରେ ଚାଲିବ ।

Leave a Reply

Your email address will not be published. Required fields are marked *