ଗଣେଶ ମେଲଣ ମହୋତ୍ସବ ୨୦୨୪ ଉଦଯାପିତ

                                           ଗଣେଶ ପୂଜା ଭୁବନ କୁ ନୁଆ ପରିଚୟ ଦେଇଛି: ନଗରପାଳ

ଭୁବନ, ୧୮/୯/୨୦୨୪ (ଓଡ଼ିଶା ସମାଚାର)-ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଭୁବନ ।  କଂସା ପିତ୍ତଳ ବାସନ,ଦଶହରାରେ ଐତିହାସିକ ବଳଦ ଯାତ୍ରା ଭୁବନ ର ସ୍ଵତନ୍ତ୍ର ପରିଚୟ ହୋଇଥିବା ବେଳେ ଚଳିତ ବର୍ଷ  ଗଣେଶ ପୂଜାରେ ଶ୍ରୀକ୍ଷେତ୍ର ଧାମ ସାରା ରାଜ୍ୟରେ ଭୁବନ କୁ ନୁଆ ପରିଚୟ ଦେଇଛି ବୋଲି ନଗରପାଳ  ଶୁଭେନ୍ଦୁ କୁମାର ସାହୁ ଗଣେଶ ମେଲଣ ମହୋତ୍ସବ ୨୦୨୪ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମହୋତ୍ସବ ଏକତାର ପ୍ରତୀକ । ଯୁବ ବନ୍ଧୁ ମାନଙ୍କ ମଧ୍ୟରେ ଏଇଭଳି ଏକତା ରହିଲେ ଭୁବନର ବିକାଶ ତ୍ୱରାନ୍ୱିତ ହେବ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ କହିଥିଲେ ।ଭୁବନ ଯାତ୍ରା ପଡ଼ିଆରେ ଶ୍ରୀ ଗଣେଶ ଚାରି ଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଗଣେଶ ମେଲଣ ମହୋତ୍ସବ ରେ ସମ୍ମାନିତ ଅତିଥି ଭାବେ ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଓ କାମାକ୍ଷାନଗର ଏନ୍ ଏ ସି  ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ଯୋଗଦେଇ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ଗଣେଶ ପୂଜା ବାସ୍ତବରେ ଏକ ନିଆରା ପରମ୍ପରା ବୋଲି ମତବ୍ୟକ୍ତ କରିଥିଲେ। ଗଣେଶ ମେଲଣ ମହୋତ୍ସବ ସଭାପତି ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଗଣେଶ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଅଜ୍ଞାଲଦୁ ନିଲାମ କରାଯାଇଥିଲା । ଏକସାଇଟେଡ୍ କ୍ଲବ୍ ତରଫରୁ ୨୯ ହଜାର ୭୨୭ ଟଙ୍କାରେ ନିଲାମ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *