ଜଗତସିଂହପୁର ରେ ସୁଭଦ୍ରା ମେଗା ଲଞ୍ଚିଂ ଓ ସ୍ବଚ୍ଛତା ହିଁ ସେବା ଅଭିଯାନ

ଜିଲ୍ଲାର ପ୍ରତି ବ୍ଲକରୁ ସମ୍ମାନିତ ହେଲେ  ସୁଭଦ୍ରା ହିତାଧିକାରୀ ଏବଂ  ଦିଆଗଲା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ନିର୍ମାଣ ଆଦେଶ ପତ୍ର

ଜଗତସିଂହପୁର, ୧୭/୯/୨୦୨୪ (ଓଡ଼ିଶା ସମାଚାର)-ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ  ସରକାରଙ୍କ “ସୁଭଦ୍ରା” ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଜନ୍ମ ଦିନ ଅବସରେ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୨୫ ଲକ୍ଷରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀଙ୍କୁ ୧୨୫୦ କୋଟି ଟଙ୍କା ଦିବିଟି ମଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।

ଏହି ଅବସରରେ ଜାଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ସୁନିସିପାଲିଟି ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଏବଂ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ସ୍ଥାନୀୟ ଲୋକ ପ୍ରତିନିଧି, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ଆଭାସୀ ମଧ୍ୟମରେ ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମରେ ପ୍ରତି ବ୍ଲକରୁ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ମାନିତ କରିବା ସହ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ହିତାଧିକାରୀଙ୍କୁ ନିର୍ମାଣ ଆଦେଶ ପତ୍ର ବଣ୍ଟନ କରଯାଇଥିଲା ଏବଂ ସ୍ଵଚ୍ଛ ଓ ସୁନ୍ଦର ଜଗତସିଂହପୁର ଗଠନ ପାଇଁ ସମସ୍ତେ ସ୍ଵଚ୍ଛତାର ଶପଥ ପାଠ କରିଥିଲେ । 

ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ପୌର ପରିଷଦ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ହିତାଧିକାରୀଙ୍କ ପ୍ରଥମ ସହାୟତା ରାଶି ପ୍ରଦାନ ନିମନ୍ତେ ସୁଭଦ୍ରା ମେଗା ଲଞ୍ଚିଂ କାର୍ଯ୍ୟକ୍ରମ ଏବଂ ସ୍ବଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁରର ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ରାଜ୍ୟ ତଥା ଜଗତସିଂହପୁର ଜିଲ୍ଲାବାସୀ ଆଜି ଉତ୍ସବ ମୁଖର। ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ କରକମଳରେ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ଏକ କୋଟିରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯାହା ଫଳରେ ଓଡିଶାର ନାରୀମାନେ ହେବେ ସ୍ବାବଲମ୍ବୀ ଓ ସ୍ଵ ରୋଜଗାରକ୍ଷମ। ସେହି ଟଙ୍କାରୁ ସେମାନେ ନିଜର ଉପାର୍ଜନର ପନ୍ଥା ତିଆରି କରିପାରିବେ। ସ୍ୱଚ୍ଛତା ହିଁ ସେବା ଅଗ୍ରାଧିକାର ଦେଇ ବିଧାୟକ ଶ୍ରୀ ଦାସ କହିଲେ, ସ୍ଵଭାବ ସ୍ୱଚ୍ଛ ଓ ସଂସ୍କାର ସ୍ୱଚ୍ଛ ରହିଲେ ଯାଇ ସରକାରଙ୍କର ସମସ୍ତ ଯୋଜନା ସ୍ୱଚ୍ଛ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏଥିପାଇଁ ସେ ଉପସ୍ଥିତ ସମସ୍ତ ମା’ ମାନେ ତଥା ଜନସାଧାରଣଙ୍କୁ ନିଜ କର୍ମରେ ସ୍ୱଚ୍ଛତା ଆଣିବା ସହ ପରିବେଶକୁ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ସୁଭଦ୍ରା ଯୋଜନା ସମସ୍ତ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ସହ ପରିବାରରେ ସ୍ଵଚ୍ଛଳତା ଆଣିବାକୁ ସହାୟକ ହେବ ଏଵଂ ଏହା ଛଡ଼ା ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି କହିଲେ।

ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ଅନୁରୂପ ବିଚାରଧାରା ବ୍ୟକ୍ତ କରିଥିଲେ। ଏହା ପରେ ଆଭାସୀ ମାଧ୍ୟମରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଜନତା ମଇଦାନ ରୁ ସିଧା ପ୍ରସାରଣରେ ଯୋଡି ହୋଇ ସମଗ୍ର ଓଡ଼ିଶା ବାସୀଙ୍କୁ ସେମାନଙ୍କର ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟର ଯୋଗ୍ୟ ସୁଭଦ୍ରା ହିତାଧିକାରୀ ମାନଙ୍କୁ ପ୍ରଥମ ସହାୟତା ରାଶି ୫୦୦୦ ଟଙ୍କାର ଶୁଭାରମ୍ଭ କରିଥିଲେ।

ଜିଲ୍ଲାର ୩ ଜଣ ହିତାଧିକାରୀ ନମିତା ସାହୁ, ବବିତା ଦାସ, ସୀମା ଘଡେ଼ଇ ଙ୍କୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପାଞ୍ଚ ହଜାର ଟଙ୍କାର ଡମି ଚେକ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ପୌର ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମସ୍ତ ଅତିଥି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କରିଥିଲେ। ପରେ ମାନ୍ୟବର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଜିଲ୍ଲାପାଳ ତଥା ଅନ୍ୟ ସମ୍ମାନିତ ଅତିଥି ମାନେ ପତାକା ଦେଖାଇ ସ୍ୱଚ୍ଛତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଜଗତସିଂହପୁର ପୌର ପରିଷଦର ସମସ୍ତ ୱାର୍ଡ ବୁଲି ସ୍ୱଚ୍ଛତା ହିଁ ସେବା ବିଷୟରେ ସଚେତନ କରାଇବ । ପ୍ରକାଶ ଥାଉ କି, ଜଗତସିଂହପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨,୩୧,୨୭୨ଜଣ ସୁଭଦ୍ରା ଯୋଜନାରେ ପଞ୍ଜୀକୃତ ହୋଇସାରିଛନ୍ତି।   ଜିଲ୍ଲା ସଦର ମହକୁମାରେ ଜଗତସିଂହପୁର ପୌର ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସହରର ବୁଦ୍ଧିଜୀବୀ, ଆଇନଜୀବୀ, ସ୍ଵୟଂ ସହାୟକ ଗୋଷ୍ଠୀର ମା’ ମାନେ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *