୧୧୪୨ ଜଣ ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଜଗତସିଂହପୁର,୦୫/୯/୨୦୨୪ (ଓଡ଼ିଶା ସମାଚାର)-ଗୁରୁ କେବଳ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସମାଜ ର ଭବିଷ୍ୟତ ନିର୍ମାଣ କରନ୍ତି । ସେମାନେ ସମାଜର ମାର୍ଗଦର୍ଶକ । ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ହୃଦୟସ୍ପର୍ଶୀ ବାର୍ତ୍ତା ସହ ଜଗତସିଂହପୁର ରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ର ୧୧୪୨ ଜଣ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ କୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ର ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଶୁଦ୍ର ମୁନି ସାରଳାଦାସଙ୍କ ମାଟି ଜଗତସିଂହପୁର ସବୁବେଳେ ଶିକ୍ଷା କ୍ଷେତ୍ରରେ ଆଗୁଆ ବୋଲି କହିଥିଲେ। ଗୁରୁଙ୍କୁ ସମ୍ମାନ ଜଣାଇ ସୁନାଗରିକ ହେବାର ଅନୁଚିନ୍ତା ସମଗ୍ର ବିଶ୍ୱରେ ବିଦ୍ୟମାନ । ସେ କହିଥିଲେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମଦିବସ ପାଳନ ଯେ ଗୁରୁଶିଷ୍ୟ ପାଳନ ର ଏକ ଅଭୁତପୂର୍ବ ପରମ୍ପରା ସୃଷ୍ଟି କରିଛି ଯାହା ଏକ ସନ୍ତୁଳିତ ସମାଜ ଗଠନ ର ସୁତ୍ରଧର। ସେଥିପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଦ୍ୟାଳୟ ଗୁଡିକ ର ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ବିଦ୍ୟାଳୟ ରେ ପ୍ରଯୁକ୍ତି ବିଦ୍ୟା ଆଧାର ରେ ଦିଆଯାଇଥିବା ସ୍ମାର୍ଟ କ୍ଲାସ ରେ ଶିକ୍ଷା ଦାନ ନିମନ୍ତେ ସର୍ବଦା ନିଜକୁ ଅପଡେଟ ରଖି ଏହାର ସଦୁପଯୋଗ କରିବାକୁ ଜିଲ୍ଲା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଶିକ୍ଷା ର ଗୁଣାତ୍ମକ ମାନ କୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ଙ୍କ ଆଭିମୁଖ୍ୟ କୁ ପ୍ରଶଂସା କରିଥିଲେ କେବଳ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ନୁହେଁବରଂ ଶିକ୍ଷକ ସମାଜର ଉନ୍ନତିରେ ହିଁ ଏକ ସଭ୍ୟ ସମାଜ ଗଠନ ହୋଇ ପାରିବ ବୋଲି ସେ କହିଥିଲେ। ଗୋଟିଏ ଛାତ୍ର ର ସାମଗ୍ରିକ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅଭିଭାବକ ମାନଙ୍କ ର ମଧ୍ୟ ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ। ଏହି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ରେ ସମୁଦାୟ ୧୧୪୨ ଜଣ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ବ୍ଲକ୍ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ୮୨୬ ଟି,ଜିଲ୍ଲା ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ୯୧ ଟି,ବ୍ଲକ୍ ସ୍ତରୀୟ ବିଦ୍ୟାର୍ଥୀ ମେଧାବୃତ୍ତି ପୁରସ୍କାର ୪୬ ଟି, ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ୧୮୦ ଟି ପୁରସ୍କାର ପ୍ରଦାନ କରାଯାଇଛି ତନ୍ମଧ୍ୟରୁ ବାଲିକୁଦା ବ୍ଲକରୁ ୧୬୦, ବିରିଡ଼ି ବ୍ଲକରୁ ୧୩୩, ଏରସମା ବ୍ଲକ୍ ରୁ ୧୩୮, ଜଗତସିଂହପୁର ବ୍ଲକ୍ ରୁ ୧୪୨, କୁଜଙ୍ଗ ବ୍ଲକ୍ ରୁ ୧୫୬, ନାଉଗାଁ ବ୍ଲକ୍ ରୁ ୧୨୯, ରଘୁନାଥପୁର ବ୍ଲକ୍ ରୁ ୧୪୨, ତିର୍ତ୍ତୋଲ ବ୍ଲକ୍ ରୁ ୧୪୨ ଜଣ ଙ୍କୁ ପୁରସ୍କୃତ କରାଯାଇଛି।ଏଥି ସହିତ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାନ୍ତି,ସୌଭାଗିନୀ ରୟ,ଆଶ୍ରମବାଲା ଦୁବେ,ନିମାଇଁ ଚରଣ ମଲିକ, ଶରତ୍ ଚନ୍ଦ୍ର ବାରିକ ,ଦାମୋଦର ପଣ୍ଡା, ଶରତ୍ ଚନ୍ଦ୍ର ମହାରଣା,କୈଲାଶ ଚନ୍ଦ୍ର ପରିଡା,ବିଜୟ କୁମାର ରଥ,ଅରୁଣ କୁମାର ମହାନ୍ତି, ସଚ୍ଚିଦାନନ୍ଦ ସାହୋ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଜିଲ୍ଲାର ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରକାଶଥାଉକି, ଜିଲ୍ଲା ର ଓଚିନ୍ଦା ହାଇସ୍କୁଲ ର ଛାତ୍ରୀ ଆଶିୟା ଖାତୁନ , ଶ୍ରୀ ଜଗନ୍ନାଥ ଉଚ୍ଚ , ଗୋରୋଇ ର ଛାତ୍ରୀ ସ୍ଥିତିପ୍ରଜ୍ଞା ସ୍ୱାଇଁ, ନରେନ୍ଦ୍ର ବିଦ୍ୟାମନ୍ଦିର, ଗୋଠିଣା, ର ସ୍ୱିକୃତୀ ମୁଦୁଲି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ, ଡାଏଟ ଜଗତସିଂହପୁର ର ଅଧ୍ୟକ୍ଷ, ଜଗତସିଂହପୁର, କୁଜଙ୍ଗ, ନାଉଗାଁ ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ସମେତ ପଦରଜ ଉମାକାନ୍ତ ନାୟକ, ତ୍ରୈଲୋକ୍ୟ ନାଥ ବିଶ୍ବାଳ,ସୌଭାଗ୍ୟ ପ୍ରସାଦ ମିଶ୍ର, ତପନ କୁମାର ନନ୍ଦ, ଅମୂଲ୍ୟ କୁମାର ମିଶ୍ର ଏବଂ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ସହଯୋଗରେ ଆଜି ଏହି ପୁରସ୍କାର ପ୍ରଦାନ ସମାରୋହ ସଫଳତା ର ସହ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ସରପଞ୍ଚ, ସହରର ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।