ଜାତୀୟ ଆଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଝାରପଡ଼ା ଜେଲ୍‌ ପରିଦର୍ଶନ

ଭୁବନେଶ୍ୱର, ୧୬//୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ତଥା ଜାତୀୟ ଅଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସଞ୍ଜୀବ ଖାନ୍ନା ଭୁବନେଶ୍ୱର ଗସ୍ତରେ ଆସି ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାର ପରିଦର୍ଶନ କରିଛନ୍ତି । ସେଠାରେ ଅନ୍ତେବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନସେବା କେନ୍ଦ୍ର ପରିଦର୍ଶନ କରିବା ସହ ଅନ୍ତେବାସୀମାନଙ୍କର ଆଇନଗତ ସମସ୍ୟା ଓ ନିରାକରଣ, ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା, ପରିମଳ ଏବଂ ସାମଗ୍ରିକ ବ୍ୟବସ୍ଥା ସଂପର୍କରେ ପଚାରିବୁଝିଥିଲେ । ଏହାପରେ ସେ ଆଇନସେବା ପ୍ରାଧିକରଣଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଗସ୍ତ କରି ସେଠାରେ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରତିପକ୍ଷ ଓକିଲଙ୍କ ସହ ଉନ୍ନତ ମାନର ସେବା ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ପରେ ପରେ ଏକ ସାଧାରଣ ସଭାରେ ପ୍ରାଧିକରଣ କାର୍ଯ୍ୟାଳୟରେ କାର୍ଯ୍ୟରତ ତାଲିମ୍‌ପ୍ରାପ୍ତ ମଧ୍ୟସ୍ଥତା କେନ୍ଦ୍ରର ଆଇନଜୀବୀ ଓ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ତାଲିକାଭୁକ୍ତ ଆଇନଜୀବୀଙ୍କ ସହ ଆଇନକାନୁନ୍‌ର ବିଧିବ୍ୟବସ୍ଥା ଓ ଏହାର ସୁଫଳ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ପ୍ରାଧିକରଣଙ୍କ ତାଲିମପ୍ରାପ୍ତ ଗ୍ରାମୀଣ ଆଇନ ସହାୟତା କର୍ମୀମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କୁ କିଭଳି ଆଇନଗତ ସେବା, ସାହାଯ୍ୟ ଓ ପରାମର୍ଶ ସହ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ପରାମର୍ଶ ଦେଇଥିଲେ ।

 ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଶ୍ରୀ ଅଶାନ୍ତ କୁମାର ଦାସ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟସଚିବ ଶ୍ରୀ ସୁଦିପ୍ତ ଆଚାର୍ଯ୍ୟ, ଭିଜିଲାନ୍ସ ଓଏସ୍‌ଡ଼ି ଶ୍ରୀ ସନ୍ତୋଷ କୁମାର ଦାସ ରାୟ, ସହସଚିବ, ଶ୍ରୀ ସୁଜନ ସାରସ୍ୱତଙ୍କ ସମେତ ସ୍ଥାୟୀ ଲୋକ ଅଦାଲତ ଜଜ୍‌ ଶ୍ରୀ ଅରବିନ୍ଦ କୁମାର ଗୁରୁ, ରେଜିଷ୍ଟ୍ରାର ସବ୍ୟସାଚୀ ପ୍ରଧାନଙ୍କ ସମେତ ବହୁ ପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ ।

 ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂ ସମସ୍ତ ବିଭାଗୀୟ କାର୍ଯ୍ୟକର୍ତ୍ତା, ଆଇନଜୀବୀ, ମେଡିଏଟର, ପିଏଲ୍‌ଭି, କୋର୍ଟ ମ୍ୟାନେଜର ଶ୍ରୀ ଶଶିକାନ୍ତ ପ୍ରଧାନଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Leave a Reply

Your email address will not be published. Required fields are marked *