ସଂଘର ଦାବିକୁ ସହୃଦୟତାର ସହ ବିଚାର କରାଯିବ – ମନ୍ତ୍ରୀ
ଭୁବନେଶ୍ୱର, ୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- “ପ୍ରତିଟି ଯାନ ଚାଳକ ମୋ ପରିବାରର ସଦସ୍ୟ । ସେମାନଙ୍କ ସୁଖ ସୁବିଧା ପ୍ରତି ମୁଁ ସବୁ ମତେ ଗୁରୁତ୍ୱ ରଖିଛି । ଡ୍ରାଇଭର ମହାସଂଘର ଦାବି ନେଇ ସରକାର ସହୃଦୟତାର ସହ ବିଚାର କରିବେ ବୋଲି ବାଣିଜ୍ୟ ଓ ପତିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅନୁଷ୍ଠିତ ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏଥିରେ ରାଜ୍ୟର ଡ୍ରାଇଭର ସଂଘଗୁଡିକର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଉପସ୍ଥିତ ରହି ମନ୍ତ୍ରୀ ଓ ସମସ୍ତଙ୍କୁ ସ୍ୱାଗତ ଜଣାଇ ଥିଲେ । ଏହି ଅବସରରେ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏ ସମ୍ପର୍କରେ ମତାମତ ରଖି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସରକାର ଡ୍ରାଇଭର ମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି । ଓଡିଶା ମୋଟର ପରିବହନ ଚାଲକ ଓ ଶ୍ରମିକ କଲ୍ୟାଣ ବୋର୍ଡକୁ ପ୍ରଭାବୀ କରିବା ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗକୁ ଏହି ବୋର୍ଡରେ ସକ୍ରିୟ ସଦସ୍ୟମାନଙ୍କୁ ସାମିଲ କରାଯାଇ ବୋର୍ଡକୁ ପୁନର୍ଗଠିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଏହା ସହ ସଡ଼କ ସୁରକ୍ଷା ଦିଗରେ ସରକାର ନେଉଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ । ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଡ୍ରାଇଭରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଦର୍ଶାଇ ମନ୍ତ୍ରୀ କହିଲେ ଯେ ଦୁର୍ଘଟଣା ହ୍ରାସ, ସଡ଼କ ସୁରକ୍ଷା ନିୟମାବଳୀ ଅନୁପାଳନ, ସଚେତନତା ନେଇ ମହାସଂଘ ସବୁ ଡ୍ରାଇଭରଙ୍କୁ ଅଧିକ ଭାବରେ ପ୍ରେରିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ରାଜପଥରେ ବିଶୃଙ୍ଖଳିତ ପାର୍କିଙ୍ଗ ରୋକିବାକୁ ୨୩ଟି ଟ୍ରକ ଟରମିନାଲ ନିର୍ମାଣ କରାଯାଇଛି । ଏଠାରେ ପାର୍କିଙ୍ଗ ସହ ଡ୍ରାଇଭରମାନେ ବିଶ୍ରାମ କରିବା ସୁବିଧା ଉପଲବ୍ଧ ଅଛି । ରାଜ୍ୟରେ ୪ଟି ଭାରି ଯାନ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି । ଏଠାରେ ନିଃଶୁଳ୍କ ଯାନ ଚାଳନା ପ୍ରଶିକ୍ଷଣ ପ୍ରଦାନ କରା ଯାଉଛି । ଏହାର ସୁବିଧା ଡ୍ରାଇଭରମାନେ ନେଇ ପାରିବେ । ସମସ୍ତେ ମିଳି ମିଶି ଦୁର୍ଘଟଣାହୀନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗର ସବୁ ଅଧିକାରୀ ଉପସ୍ଥିତ ଥିଲେ ।