ଏମ.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କ୍ଷୁଧାମୁକ୍ତ ବିଶ୍ୱ ‘

 ପ୍ରଫେସର ଏମ୍‌. ଏସ୍‌. ସ୍ୱାମୀନାଥନଙ୍କ ଦୃଷ୍ଟିରେ ଚିର ସବୁଜ କ୍ରାନ୍ତି’  ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମୁଖ୍ୟ ଅତିଥି ରୂପେ ଯୋଗଦାନ

ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏମ୍‌. ଏସ୍‌. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କ୍ଷୁଧାମୁକ୍ତ ବିଶ୍ୱ : ପ୍ରଫେସର ଏମ୍‌. ଏସ୍‌. ସ୍ୱାମୀନାଥନଙ୍କ ଦୃଷ୍ଟିରେ ଚିର ସବୁଜ କ୍ରାନ୍ତି’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଚେନ୍ନାଇ ଠାରେ ଅଗଷ୍ଟ ୭ ଓ ୮ ତାରିଖରେ ଅନୁଷ୍ଠିତ ହେଉଛି ଏବଂ ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଛନ୍ତି । ପ୍ରଫେସର ଏମ୍‌. ଏସ୍‌. ସ୍ୱାମୀନାଥନ ଭାରତରେ ସବୁଜ କ୍ରାନ୍ତିର ଆବାହକ ଥିଲେ । ତାଙ୍କରି ନେତୃତ୍ୱରେ ଭାରତ କୃଷି କ୍ଷେତ୍ରରେ ସବୁଜ ବିପ୍ଲବ ସୃଷ୍ଟି କରିପାରିଥିଲା । ତାଙ୍କର ମୂଳଲକ୍ଷ୍ୟ ଥିଲା ବିଶ୍ୱକୁ ସମ୍ପୂର୍ଣ୍ଣ କ୍ଷୁଧାମୁକ୍ତ କରିବା । ଏଥି ନିମନ୍ତେ କେବଳ ସବୁଜ କ୍ରାନ୍ତି ନୁହେଁ ବରଂ ଚିର ସବୁଜ କ୍ରାନ୍ତିର ଆବଶ୍ୟକ । ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରଫେସର ଏମ୍‌. ଏସ୍‌. ସ୍ୱାମୀନାଥନଙ୍କ ସ୍ମୃତିରେ ତାଙ୍କର କୃଷି କ୍ଷେତ୍ରରେ ଅବଦାନକୁ ସ୍ମରଣ କରିବା ପାଇଁ ଆୟୋଜିତ କରାଯାଇଛି ।

          ମନ୍ତ୍ରୀ ଶ୍ରୀ ସିଂହଦେଓ ସମ୍ମିଳନୀର ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ । ଜଳବାୟୁ ପ୍ରତିରୋଧି କୃଷିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବେ । ଚାଷରେ ବିବିଧତା ବା ଏକକାଳୀନ ଏକରୁ ଅଧିକ ଫସଲ ଉତ୍ପାଦନ କରିବା ଦ୍ୱାରା ବିଶ୍ୱ କ୍ଷୁଧାମୁକ୍ତ ହୋଇପାରିବ । ପାରମ୍ପରିକ ଖାଦ୍ୟ ବ୍ୟବହାର ବଢ଼ାଇବା ଦ୍ୱାରା କ୍ଷୁଦ୍ର ଚାଷୀ, ବିଶେଷ କରି, ଆଦିବାସୀ ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇପାରିବେ । ସେହିପରି ଖାଦ୍ୟ ନଷ୍ଟକୁ କମ୍‌ କରିବା ଦ୍ୱାରା ବିଶ୍ୱ ବହୁତ ଶୀଘ୍ର କ୍ଷୁଧାମୁକ୍ତ ହୋଇପାରିବ ।

          ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓ ଏମ୍‌. ଏସ୍‌. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ନୂଆ ଲୋଗୋକୁ ଉନ୍ମୋଚନ କରିଥିଲେ । ପରେ ଏମ୍‌. ଏସ୍‌. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରଭାବୀ ରିପୋର୍ଟ ୨୦୨୩-୨୪ ପୁସ୍ତିକା ଉନ୍ମୋଚନ କରିବା ସହିତ ପୁଷ୍ଟିକର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ‘ଏମ୍‌. ଏସ୍‌. ସ୍ୱାମୀନାଥନଙ୍କ ନିତ୍ୟା ରାଓ ନାମକ ଜଣେ କୃଷକଙ୍କ ସହ ବାର୍ତ୍ତାଳାପ’ ଶୀର୍ଷକ ନାମ୍ନୀ ଏକ ପୁସ୍ତକ ଯାହା ଜଣେ କୃଷକର କୁପୋଷଣମୁକ୍ତ ଭାରତ ଅଭିଯାନ ଉପରେ ପର୍ଯ୍ୟବସିତ ତାହାର ମଧ୍ୟ ଉନ୍ମୋଚନ କରିଥିଲେ ।

         ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କୃଷି ଓ ଜନଜାତିଙ୍କ ଦ୍ୱାରା ଜୈବିକ ପ୍ରଣାଳୀରେ ଉତ୍ପାଦିତ ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥ ଯଥା କୋରାପୁଟର ମାଣ୍ଡିଆ, ସୁଆଁ, ବାଜରା ପ୍ରଭୃତିର ପ୍ରଦର୍ଶନୀ କରାଯାଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ତଥା ଦେଶବିଦେଶରୁ ବହୁ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଆସି ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *