ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ପୂର୍ବରୁ ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

ପୁରୀ, ୬/୭/୨୦୨୪ (ଓଡ଼ିଶା ସମାଚାର)- ପୁରୀରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜେ ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ଓ ବିଜେପିର ବହୁ ନେତା ଓ କର୍ମୀଙ୍କ ସହ ହାତରେ ଝାଡ଼ୁ ଧରି ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି।

ବଡ଼ଦାଣ୍ଡର ଏହି ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ‌ହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା, ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବଡ଼ଦାଣ୍ଡରୁ ଶରଧାବାଲି ଯାଏ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି ।

ଏଣେ ଶରଧାବାଲିରେ ସଫେଇ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କାଲି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ପୂର୍ବରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି।  ସ୍ବଚ୍ଛତା ଓ ସଚେତନତା ପାଇଁ ଏହି ସଫେଇ କାର୍ଯ୍ୟକ୍ରମର ଗୁରୁତ୍ବ ରହିଛି। ଏହି ଅବସରରେ ସେ ପ୍ଲାଷ୍ଟିକ ଜରି ବ୍ୟବହାରରୁ ନିବୃତ୍ତ ରହିବାକୁ  ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *