“ମାତୃଭାଷା ବିନା ଶିଶୁଶିକ୍ଷା ଶିଶୁହତ୍ୟା ସମ – ଗୋପବନ୍ଧୁ”

ଭୁବନେଶ୍ୱର, ୬/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୮ଟା ସମୟରେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ୯୬ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମାଲ୍ୟାର୍ପଣ ଏବଂ ସ୍ମତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ କରାଯାଇଥିବା ବେଳେ ଏଥିରେ ସମାଜରେ ପ୍ରତିଷ୍ଠିତ ବିଭିନ୍ନ ଶ୍ରେଣୀର ବ୍ୟକ୍ତି ବିଶେଷମାନେ ଶ୍ରଦ୍ଧାଞ୍ଜଳି ଜଣାଇବାପୂର୍ବକ ସେ ଓଡ଼ିଆ ଜାତିକୁ ସଚେତନ କରି ଜାତିର ଅଭିବୃଦ୍ଧି ସମେତ ସମଗ୍ର ଦେଶ ଏବଂ ବିଶ୍ୱ ମଙ୍ଗଳକାରୀ ମାନବୀୟ ଚେତନା ଉଦ୍ରେକ କରିଥିବା ବିଷୟ ଉଲ୍ଲେଖ କରିଥିଲେ । ସେ ସମାଜର ବହୁକ୍ଷେତ୍ରରେ ନିଜର ପ୍ରତିଷ୍ଠା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ମଧ୍ୟ ଜନସେବା ଓ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ଯାହାର ପ୍ରମାଣ ତତ୍କାଳୀନ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ ଏବଂ ବକୁଳ ବନ ବିଦ୍ୟାଳୟ ସ୍ଥାପନାରୁ ଜଣା ପଡ଼ିଥିଲା ।
ମାତୃଭାଷା ଶିକ୍ଷା ଉପରେ ସେ ବିଶେଷ ଗୁରୁତ୍ୱ ଦେଉଥିବାରୁ ମାତୃଭାଷା ବିନା ଶିଶୁର ଶିକ୍ଷା ଶିଶୁହତ୍ୟା ସହ ସମାନ ବୋଲି କହିବାକୁ ଉଚିତ୍ ମନେ ମରିଥିଲେ । ସଂପ୍ରତି ଓଡ଼ିଆ ଅସ୍ମିତା କଥା ବହୁ ଚର୍ଚ୍ଚିତ ବିଷୟ ହୋଇଥିବା ବେଳେ ଗୋପବନ୍ଧୁ ଯେ ଅଧିକ ପ୍ରାସଙ୍ଗିକ ଏଥିରେ କୌଣସି ଦ୍ୱିରୁକ୍ତି ନାହିଁ ବୋଲି ଆଲୋଚନାରେ ମତ ପ୍ରକାଶ ପାଇବା ସହ ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ମଧ୍ୟ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ା. କାଶୀନାଥ ରଥ, ବିଶିଷ୍ଟ କବି ମଙ୍ଗଳା ପ୍ରସାଦ ପ୍ରଧାନ, ହୋମିଓପାଥି ଜିଲା ଚିÿକିତ୍ସାଧିକାରୀ ଡ଼ା. ବାନାମ୍ବର ପରିଡ଼ା, ଇଂ. ନିଖିଳ ପ୍ରସାଦ ଦାଶ, ଦିବାକର ହୋତା, ତ୍ରିନାଥ ସାମନ୍ତରାୟ, ଭରତ କୁମାର ଜେନା, ସନ୍ତୋଷ ମହାପାତ୍ର, ଯୁଗଳ କିଶୋର ନାୟକ, ଗିରିଜା ଭୂଷଣ ମହାପାତ୍ର, କାଳନ୍ଦୀ ମହାପାତ୍ର, ପ୍ରକାଶ ବେହେରା, କେଶବ ପାଇଲ, ସଂଗ୍ରାମ ଭୋଇ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *