ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର,୨୯/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଶ୍ୱନାଥ ସ୍ୱାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ସେବାନିବୃତ୍ତ କର୍ମଚାରୀ ଶ୍ରୀ ସ୍ୱାଇଁଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା  କରିଥିଲେ । ଏ ଅବସରରେ ନିର୍ଦ୍ଦେଶକ ଶ୍ରୀ ସାମଲ କହିଛନ୍ତି, ଶ୍ରୀ ସ୍ୱାଇଁଙ୍କ କର୍ମତତ୍ପରତା ଓ ନିଃସ୍ୱାର୍ଥପର ସେବା ଓ ବ୍ୟକ୍ତିଗତସ୍ତରରେ ସମାଜସେବା ମନୋଭାବ ସର୍ବଦା ପ୍ରଶଂସନୀୟ ହୋଇ ରହିବ । ସେ ଥିଲେ ବିଭାଗର ଅଭିଜ୍ଞତାସଂପନ୍ନ ଓ ନିଷ୍ଠାପର କର୍ମଚାରୀ । ତାଙ୍କ ଅନୁପସ୍ଥିତି ବିଭାଗର ଅନ୍ୟ କର୍ମଚାରୀମାନଙ୍କ ପାଇଁ ଦୁଃଖଦ ରହିବ ବୋଲି ଶ୍ରୀ ସାମଲ ମତ ବ୍ୟକ୍ତ କରିଛନ୍ତି ।

    ଏହି ଅବସରରେ ନିର୍ଗମନ ଶାଖରେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ନିଜର କର୍ମମୟ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଭାଗ ତରଫରୁ ପାଇଥିବା ସ୍ନେହ ଓ ଶ୍ରଦ୍ଧା ପାଇଁ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ସ୍ୱାଇଁଙ୍କ ଅବସରକାଳୀନ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇ ତାଙ୍କର ପ୍ରସଂଶା କରିଥିଲେ । ଶେଷରେ ନିର୍ଦ୍ଦେଶକ ଶ୍ରୀ ସାମଲ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶୁଭକାମନା ଜ୍ଞାପନା କରିଥିଲେ ।

Leave a Reply

Your email address will not be published. Required fields are marked *