କେନ୍ଦ୍ରାପଡ଼ା, ୦୮/୬/୨୦୨୪ (ଓଡ଼ିଶା ସମାଚାର)- ସଂସ୍କୃତ ଭାଷା ଜ୍ଞାନର ବୃଦ୍ଧି କରିବା ସହିତ ଜାତୀୟ ଏକତାକୁ ସୁଦୃଢ଼ କରିଥାଏ । ସଂସ୍କୃତ ଭାଷାରେ ମାନବତାର ବିକାଶ କରୁଥିବା ଅନେକ ଗ୍ରନ୍ଥ ରଚନା କରାଯାଇଛି । ଏହାକୁ ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇଥାଏ । ଐତିହ୍ୟ ତଥା ଗୌରବମୟ ସଂସ୍କୃତିର ବିକାଶ ଦିଗରେ ସବୁ ସ୍ତରରୁ ଉଦ୍ୟମ କରାଯିବା ସହ ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରୟାସ ଜାରି ନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ ଚଳାଇଥିବା ବେଳେ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସହରରେ ଥିବା ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜନୈକ ପ୍ରଭାବଶାଳି ବ୍ୟକ୍ତି ହାତଗଣତି କେତେଜଣ ବିଜେଡି ମନ୍ତ୍ରୀନେତାଙ୍କୁ ହାତ କରି ସଂସ୍କୁତ ଟୋଲ ଓ କଲେଜ ଘର ଭାଙ୍ଗି ସେଠାରେ ବିରଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ ଡରରେ କେହି ମୁହଁ ଖୋଲୁ ନଥିବା ଦେଖିବାକୁ ମିଳିଛି । ୨୦୨୧ ଅଗଷ୍ଟ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ ଯେ, ଭାରତୀୟ ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏନେଇ ଶିକ୍ଷାଦାନ କରାଯାଉଛି । ଅୟାରଲାଣ୍ଡର ବାସିନ୍ଦା ରୁଟଜର କୋର୍ଟନ ହୋରଷ୍ଟ୍ ଜଣେ ଖ୍ୟାତି ସମ୍ପନ୍ନ ସଂସ୍କୃତ ଭାଷାବିତ୍ ସେ ନିଜ ଦେଶରେ ପିଲାମାନଙ୍କୁ ସଂସ୍କୃତ ଭାଷା ପଢ଼ାଉଛନ୍ତି । ଥାଇଲାଣ୍ଡରେ ମଧ୍ୟ ସଂସ୍କୃତ ଭାଷାର ବିକାଶ ପାଇଁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏନେଇ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଡ. ଚିରାପତ୍ ପ୍ରପାଣ୍ଡବିଦ୍ୟା ତଥା ଡ. କୁସୁମା ରକ୍ଷାମଣି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଫେସର ବୋରିସ୍ ଜଖାରିନ୍ ରୁଷିଆର ମସ୍କୋ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷା ପଢ଼ାଉଛନ୍ତି । ଅଷ୍ଟ୍ରେଲିଆର ସିଡ୍ନୀରେ ସଂସ୍କୃତ ସ୍କୁଲ ସ୍ଥାପନ କରାଯାଇଛି । ସେଠାରେ ପିଲାମାନଙ୍କୁ ସଂସ୍କୃତ ବ୍ୟାକରଣ ଏବଂ ଭାଷା ସମ୍ପର୍କରେ ଶିକ୍ଷାଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ବୁଦ୍ଧିଜୀବୀ କ୍ଷୀରୋଦ ମଲ୍ଲିକ ଓ ପ୍ରଫୁଲ୍ଲ ଦାଶ ପ୍ରମୁଖ କହିଛନ୍ତି ଯେ ପୂର୍ବରୁ ବିଦେଶୀ ଶାସନ ଚାଲିଥିଲା । ଆମ ଶାସ୍ତ୍ରକୁ ଘରକୁ ଘର ବୁଲି ନଷ୍ଟଭ୍ରଷ୍ଟ କରି ଦିଆଯାଇଥିଲା । ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲୁ । ମହାନ୍ ବ୍ୟକ୍ତି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ଓ ସଂସ୍କୃତ ଭାଷାକୁ ବଂଚାଇ ରଖିବାକୁ ଉଦ୍ୟମ ହେଲା । ଏ ନେଇ ୧୯୨୬ ମସିହାରେ ତତ୍କାଳୀନ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ହୃଷୀକେଶ ଦାସ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ମଠ ତତ୍ୱାବଧାନରେ ସଂସ୍କୃତ ପଠାଗାର ଖୋଲିଥିଲେ । ସମୟାନୁକ୍ରମେ ତାହା ସଂସ୍କୃତ ପାଠାଗାର, ବିଦ୍ୟାଳୟ ଓ ୧୯୮୯ରେ ମହାବିଦ୍ୟାଳୟ ହୋଇ ମଠ ଜାଗାରେ ଉଭା ହୋଇଥିଲା । ମାତ୍ର ୩ବର୍ଷ ହେବ ଏଠାରୁ ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗି ଦିଆଯିବା ସହ ମହାବିଦ୍ୟାଳୟକୁ ଅନ୍ୟତ୍ର ନେଇଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏବେ ରାଧାରମଣ ମଠର ଉକ୍ତ ଜମିକୁ ବ୍ୟବସାୟିକ ଆଳରେ ବଡ଼ବଡ଼ ଘର ନିର୍ମାଣ କରି ଭଡା ସୁତ୍ରରେ ଦିଆଯାଇଥିବା ବେଳେ ଅନ୍ୟ ଘରଗୁଡ଼ିକରେ ଏକ ପବ୍ଲିକ ସ୍କୁଲ ଓ କେତେଗୋଟି ବ୍ୟବସାୟ ଅନୁଷ୍ଠାନକୁ ଭଡ଼ା ଦିଆଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ସାମାଜିକ କର୍ମୀ ଅମୂଲ୍ୟ ପରିଡା, ଆଇନଜୀବୀ ପ୍ରମୋଦ ସାହୁ ଓ କୃପାସିନ୍ଧୁ ନାୟକ ପ୍ରମୁଖ କୁହନ୍ତି ଯେ ସଂସ୍କୃତ ଭାଷା ଭାରତର ପରିଚୟ । ସଂସ୍କୃତ ସବୁ ସମୟରେ ଆମ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନରେ ରହି ଆସିଛି । ଏକ ସମୟରେ ସଂସ୍କୃତ ହିଁ ଥିଲା ଆମର ଲେଖାପଢ଼ାର ଭାଷା । ସଂସ୍କୃତରେ ସାହିତ୍ୟ, ଜ୍ୟୋତିଷ, ଗଣିତ, ଦର୍ଶନ, ବ୍ୟାକରଣ ଇତ୍ୟାଦି ଶାସ୍ତ୍ରର ଭାଷା ମଧ୍ୟ ଲେଖା ହେଉଥିଲା । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଆମର ପଠାଣି ସାମନ୍ତ ତାଙ୍କର ଗଣିତ ଜ୍ୟୋତିଷ ବହି ସିଦ୍ଧାନ୍ତ ଦର୍ପଣ ସଂସ୍କୃତରେ ରଚନା କରିଥିଲେ । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳର ଏହି ପ୍ରଭାବଶାଳୀ ବ୍ୟକ୍ତି ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗି ସଂସ୍କୃତିକୁ ଲୋପ କରିବାକୁ ବସିଛନ୍ତି । ଭାଜପା ସରକାରରେ ଏହାକୁ ବରଦାସ୍ତ କରାଯିବନାହିଁ । ଆସନ୍ତା ୧୦ ତାରିଖରେ ଭାଜପା ସରକାର ସପଥ ଗ୍ରହଣକଲେ ଏହାର ପୁନଃ ବିଚାର କରାଯିବ ବୋଲି ସେମାନେ କହିଥିଲେ । ପଟ୍ଟାମୁଣ୍ଡାଇ ଅଂଚଳର କେତେକ ପ୍ରଭାବଶାଳୀ ବ୍ୟକ୍ତି ବହୁ ସରକାରୀ ଜମିକୁ ନିଜ ନାମରେ କରି ବିକ୍ରିବଟା କରିବା ସହିତ ବାସଗୃହ ନିର୍ମାଣ କରି ରହୁଛନ୍ତି । ପ୍ରଶାସନ ଏହି ମୂଲ୍ୟବାନ ସରକାରୀ ଜାଗାରୁ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବନ୍ଦ କରିଦେବାରେ ସହ ଯୋଗ କରୁଥରବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରଦିପ କୁମାର ନାଗଙ୍କୁ ପଚାରିବାରେ ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି ।