ଓଡିଶାରେ ଏଥର ପ୍ରଥମ କରି ହେବ ଡ଼ବଲ ଇଞ୍ଜିନ ସରକାର- ମୋଦୀ

କେନ୍ଦ୍ରାପଡ଼ା, ୨୯/୫/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାରେ ଏଥର ପ୍ରଥମ କରି ହେବ ଡ଼ବଲ ଇଞ୍ଜିିନ ସରକାର । ଆସନ୍ତା ଜୁନ୍ ୧୦ ତାରିଖରେ ବିଜେପିର ହିଁ ସରକାର ଗଠିତ ହେବ ଏବଂ ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଗାମୀ ଛଅ ମାସ ମଧ୍ୟରେ ଓଡ଼ିଶା ସମେତ ସମଗ୍ର ଦେଶରେ ପରିବାରବାଦୀ ଦଳ ଗୁଡ଼ିକର ପତନ ଘଟିବ । ବିକାଶର ରାସ୍ତାରେ ଓଡ଼ିଶା ଆଗକୁ ବଢିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରାପଡ଼ାର ବାରୁଅରେ ଅନୁଷ୍ଠିତ ଦଳର ଏକ ବିଶାଳ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ମୋଦୀ ଉଦବୋଧନ ଦେଇଥିଲେ । ଏହାପରେ ଲୋକମାନଙ୍କ ଦ୍ୱାରା ଅଙ୍କିତ ବିଭିନ୍ନ ଫଟୋଚିତ୍ର ଗୁଡିକୁ ସଂଗ୍ରହ କରିଥିଲେ । ଏହାପରେ କହିଥିଲେ ଓଡ଼ିଶା ଶାସନ ଆଜି ଅଣଓଡ଼ିଆଙ୍କ କବ୍ଜାରେ । ରାଜ୍ୟର ସମ୍ପତି ମଧ୍ୟ କବଳିତ । ଏହାକୁ ମୁକ୍ତ କରି ଓଡ଼ିଶାକୁ ବିକାଶ ରାସ୍ତାରେ ନେବା ପାଇଁ ଓଡ଼ିଶାବାସୀ ୧୦ତାରିଖରେ ବିଜେପିର ସରକାର ଗଠନ ପାଇଁ ନିଷ୍ପତି ନେଇ ସାରିଛନ୍ତି । ଆପଣମାନଙ୍କ ଆର୍ଶୀବାଦ ନେବାକୁ ଆସିଛି ଓ ୧୦ଜୁନରେ ରାଜ୍ୟରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବ ବୋଲି ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ । ବିଜେପିର ସରକାର ଗଠନ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ୱାର ଖୋଲିଯିବ । ରତ୍ନ ଭଣ୍ଡାର ଖୋଲାଯାଇ ଅଗଣିତ ଭକ୍ତଙ୍କ ନିକଟରେ ମହାପ୍ରଭୁଙ୍କ ରତ୍ନର ହିସାବ ରଖାଯିବ । ପଚିଶ ବର୍ଷ ପରେ ପରବର୍ତନ ଓ ଓଡିଶାକୁ ନିଶ୍ଚିତ କରିବା ପାଇଁ ଓଡିଶା ବିଜେପିକୁ ଭୋଟ ଦେଉଛି । ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା, ମହିଳାଙ୍କ ଶୁଭଦ୍ରା ଯୋଜନା ପାଇଁ ଓଡିଶା ବିଜେପିକୁ ଭୋଟ ଦେଉଛି । ଓଡିଶାର ଚତୁର୍ଦ୍ଧିଗ ବିକାଶ ମୋଦୀର ଗ୍ୟାରେଂଟି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇପଡ଼ିବା ନେଇ ମୋଦୀ ଚିନ୍ତା ପ୍ରକଟ କରିବା ସହିତ କହିଥିଲେ ଯେ ରାଜ୍ୟରେ ସରକାର ଗଠନ ପରେ ଏକ ସ୍ୱତନ୍ତ୍ର କମିଟି ଗଠନକରାଯାଇ ନବୀନବାବୁ ଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଂଚ କରାଯିବା ସହିତ ଏହା ପଛରେ ଥିବା ଷଡ଼ଯନ୍ତ୍ରର ପର୍ଦ୍ଧାଫାସ କରାଯିବ । ଲୋକମାନଙ୍କୁ କହିଥିଲେ ଗ୍ରାମ ଦେବତୀଙ୍କ ନିକଟରେ ପୂଜା କରନ୍ତୁ ଓ ବିକଶିତ ଭାରତପାଇଁ ପୂର୍ବପୁରୁଷଙ୍କ ଠାରୁ ଆର୍ଶୀବାଦ ମାଗନ୍ତୁ । ୪ଦିନ ପରେ ରାଜ୍ୟବାସୀଙ୍କ ଅର୍ଶୀବାଦରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ । ଡ଼ବଲ ପଦ୍ମ ଡ଼ବଲ ବିକାଶ ବୋଲି କହି ମୋଦୀ ଦୁଇ ଥର ପଦ୍ମ ଚିହ୍ନରେ ଭୋଟ ଦେବାକୁ କେନ୍ଦ୍ରାପଡ଼ାବାସୀଙ୍କୁ ନିବେଦନ କରିଥିଲେ । ଏହି ଜନସଭାରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବକ୍ତବ୍ୟ ରଖି କହିଥିଲେ ଯେ କେନ୍ଦ୍ରସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ନବୀନ ସରକାର ନିଜ ମୋହରମାରି ନାଁ କରୁଛନ୍ତି । ଲୋକମାନେ ସବୁ ଜାଣିପାରିଛନ୍ତି । ୧ତାରିଖରେ ଏହାର ଜବାବ ଦେବେ । ତେଣୁ ବିଜେପି ସରକାର ଆସିଲେ ସମସ୍ତ ବିକାଶମୁଖି କାର୍ଯ୍ୟ ରାସ୍ତାରେ ଓଡ଼ିଶାକୁ ନେବା ସକାଶେ ଦୁଇ ଥର ପଦ୍ମ ଚିହ୍ନରେ ମୋହର ମାରିବା ପାଇଁ ନିବେଦନ କରିଥିଲେ । ସଭା ମଂଚ ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ । ଏକ ରୋଚକ ଦୃଶ୍ୟ ଏହି ମଂଚରେ ଦେଖିବାକୁ ମିଳିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇଜଣ ମହିଳା ଗୁଲନଗରର କମଳାମହାରଣା ଓ ଆଳି ଅଂଚଳର ଅନୁସୂୟା ମଲ୍ଲିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଣ୍ଡ ଲଗାଇ ପ୍ରଣାମ କରିବା କ୍ଷଣି ମୋଦୀ ନିଜେ ମୁଣ୍ଡ ଲଗାଇ ମହିଳା ଦୁଇଜଣଙ୍କୁ ପ୍ରଣାମ କରିଥିଲେ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମସ୍ତ ସାତଜଣ ବିଧାନସଭା ପ୍ରାର୍ଥୀ କେନ୍ଦ୍ରାପଡାର ଗୀତାଞ୍ଜଳୀ ସେଠୀ, ପାଟକୁରାର ତେଜେଶ୍ୱର ପରିଡା, ମହାକାଳପଡାର ଦୂର୍ଗାପ୍ରସନ୍ନ ନାୟକ, ଆଳିର କୃଷ୍ଣଚନ୍ଦ୍ର ପଣ୍ଡା, ରାଜନଗରର ଲଳିତ ବେହେରା, ସାଲେପୁରର ଅରିନ୍ଦମ ରାୟ, ମାହାଙ୍ଗାର ସୁମନ୍ତ ଘଡେଇ ଉପସ୍ଥିତ ଥିଲେ । ବିଜେପି ଜଲା ସଭାପତି କିଶୋର ପଣ୍ଡା, ଅଭିମନୁ୍ୟ ଗୋଚାୟତ, ନେହୁରୁ ସାହୁ ପ୍ରମୁଖ ଜିଲା ବିଜେପିର ଛାମୁଆନେତାମାନେ ଉପସ୍ଥିତ ଥିଲେ । ବିଶାଳ ନିର୍ବାଚନୀ ସଭାରେ ୭୦ହଜାରରୁ ଅଧିକ ଲୋକ ସମବେତ ହୋଇଥିଲେ ।

Leave a Reply

Your email address will not be published. Required fields are marked *