କେନ୍ଦ୍ରାପଡାରେ ପ୍ରାର୍ଥୀ ଘୋଷଣାକୁ ନେଇ ଅଡୁଆ ସ୍ଥିତି
କେନ୍ଦ୍ରାପଡା, ୬/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭାର ବିଜେପି ପ୍ରାର୍ଥୀ ତଥା ହେଭିି ୱେଟ୍ ନେତା କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଚୟନ ପ୍ରକ୍ରିୟା । ନିର୍ବାଚନ ଦିନକୁ ଦିନ ଯେତେ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଚୟନ କରିବା ସେତେ କଷ୍ଟକର ବ୍ୟାପାର ହେଉଛି ବୋଲି ବୈଜୟନ୍ତ କହିଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୭ଟି ବିଧାନ ସଭା ଆସନ ଭିତରୁ ବିଜେପି ଦଳ ବୈଜୟନ୍ତଙ୍କ ସୁପାରିସ କ୍ରମେ ପ୍ରାୟ ୫ଟି ଆସନରେ ପ୍ରାର୍ଥୀ ଚୟନ କରି ଟିକେଟ୍ ବଂଟନ କରି ସାରିଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଓ ସାଲେପୁର ଦୁଇଟି ଯାଙ୍କ ଆସନରେ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ଟିକେଟ୍ ବଂଟା ଯାଇନାହିଁ । ଟିକେଟ ବଂଟାକୁ ନେଇ ଅଡୁଆ ପରିସ୍ଥିତି ବର୍ତମାନ ସୃଷ୍ଟି ହୋଇଥିବା ଜଣା ପଡିଛି । କେନ୍ଦ୍ରାପଡା ଆସନରୁ ବିଜେଡି ଦଳଛାଡି ବିଜେପିରେ ମିଶିବା ପରେ ଗୀତାଂଜଳି ସେଠୀ ଟିକେଟ ପାଇବାକୁ ଦାବିଦାର ରହିଥିବା ବେଳେ ଦଳ କିନ୍ତୁ ତାଙ୍କୁ ସାଥ୍ ଦେଉନଥିବା ଜଣାପଡିଛି । ଏପଟେ କିନ୍ତୁ ବିଜେପିର ଅନ୍ୟ ଏକ ଗୋଷ୍ଠୀ ବିଶିଷ୍ଟ ସମାଜସେବୀ ଓ ବିଜେପି ନେତା ଶଶାଙ୍କ କୁମାର ଜେନା(ମଂଟୁ)ଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ବିଜେପି ଦଳ ତରଫରୁ ଟିକେଟ ଦେବାଲାଗି ସଂଘ ପକ୍ଷରୁ ନେତ୍ରୁ ମଣ୍ଡଳିଙ୍କ ଜରିଆରେ ବୈଜୟନ୍ତଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଜଣାପଡିଛି । ଯଦି ଆଗାମୀ ଦିନରେ ବୈଜୟନ୍ତ ଶଶାଙ୍କ ଜେନା ଓରଫ୍ ମଂଟୁ ଙ୍କୁୁ ଟିକେଟ ନଦିଅନ୍ତି ତେବେ ଜିଲା ସଂଘ ପକ୍ଷରୁ ସଂସଦୀୟ କ୍ଷେତ୍ରରେ ବୈଜୟନ୍ତଙ୍କୁ କୌଣସି ସାହାଯ୍ୟ ସହଯୋଗ କରାଯିବ ନାହିଁ ବୋଲି ରୋକ ଠୋକ ଧର୍ମରକ୍ଷା ସେନା, ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ ପକ୍ଷରୁ ମନା କରି ଦିଆଯାଇଛି । ଯାହାକୁ ନେଇ ବୈଜୟନ୍ତ ଏବେ ହରଡ ଘଣାରେ ପଡିଯାଇଛନ୍ତି । କାହାକୁ ଦେବେ ଟିକଟ, ଗୀତାଂଜଳି ସେଠୀ ନା ଶଶାଙ୍କ ଜେନା ଓରଫ୍ ମଂଟୁଙ୍କୁ । ଅପର ପକ୍ଷରେ ଜିଲାପରିଷଦ ସଭାପତି ଭଳି ଏକ ବଡ ପଦବୀ ସହ ଶାସକ ଦଳ ଛାଡି ବିଜେପିରେ ମିଶିଥିବା ଗୀତାଂଜଳିଙ୍କୁ ଟିକେଟ୍ ଦେବାକୁ ତାଙ୍କୁ ସଲାସୁତୁରା କରି ଦଳକୁ ଆଣିଥିବା ଗୋଷ୍ଠୀ ବୈଜୟନ୍ତଙ୍କ ଉପରେ ମଧ୍ୟ ଚାପ ପକାଉଛନ୍ତି । ତେବେ ଦେଖିବାକୁ ଯାହା ବାକି ରହିଲା ହାଇ କମାଣ୍ଡଙ୍କ ଆଦେଶକୁ । ବର୍ତମାନ କୁହାଯାଉଥିବା ବିଧାନସଭା ଆସନରୁ ଯଦି ବିଜେପି ଦଳ ମୁଖ୍ୟ ଦାବିଦାର ଶଶାଙ୍କ କୁମାର ଜେନାଙ୍କୁ ପ୍ରାର୍ଥୀ ରୂପେ ଦଳିୟ ଟିକେଟ ଦେଇ ଚୟନ ନକରେ ତେବେ ଆଗାମୀ ନିର୍ବାଚନରେ ବୈଜୟନ୍ତଙ୍କୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମହଙ୍ଗା ପଡିବ ବୋଲି ଏବେ ଠାରୁ ବିଜେପି ଦଳରେ ଅଡୁଆ ପରିସ୍ଥିତି ଓ ଗୋଷ୍ଠୀ କନ୍ଦଳ ସୃଷ୍ଟିକାରୀଙ୍କ କଥାରୁ ସ୍ପଷ୍ଟ ବାରିହୋଇ ପଡୁଛି ।