ଠାକୁର ଅଭିରାମ ପରମହଂସଙ୍କ ଭକ୍ତ ଗୋଷ୍ଠୀ ସମ୍ମିଳନୀ 

 ମାହାଙ୍ଗା, ୨୫/୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )-କଟକ  ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଲ୍ୟାଣପୁର ଠାରେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭକ୍ତ ଗୋଷ୍ଠୀ ପକ୍ଷରୁ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ପରମଭକ୍ତ ତଥା ବିଶିଷ୍ଟ ମଞ୍ଚ ଅଭିନେତା,କଳା ସଂସ୍କୃତି ପ୍ରେମୀ,ଆଧ୍ୟାତ୍ମିକ ବାଦୀ ପୁରୁଷ ବିଷ୍ଣୁ ଚରଣ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା ।   ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏହି ସତସଙ୍ଗ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।  ପ୍ରଥିତଯଶା ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ରଚିତ ବହୁ ନାଟକରେ ନିଖୁଣ ଅଭିନୟ ପ୍ରଦର୍ଶନ କରି ବେଶ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ ସ୍ବର୍ଗତ ବିଷ୍ଣୁ ଚରଣ ଦାସ । ଏକଦା ରାଜ୍ୟ ଓ ରାଜ୍ୟ ବାହାରେ ଗଣକବିଙ୍କ ଯାତ୍ରା ନାଟକର ପ୍ରଚାର ଓ ପ୍ରସାର ପାଇଁ ବିଷ୍ଣୁ ଚରଣଙ୍କ ଭୂମିକା ଆଜିବି ଅବିସ୍ମରଣୀୟ ହୋଇରହିଛି । ଦିନଥିଲା ପଲ୍ଲୀଭୂମି କୋଠପଦାରୁ ପୌରାଣିକ ଭୂମି କୁରୁକ୍ଷେତ୍ର ପର୍ଯ୍ୟନ୍ତ, ବିଷ୍ଣୁ ଚରଣଙ୍କ କଳାର ଯାଦୁ ଦର୍ଶକ ମାନଙ୍କୁ ଅଭିଭୂତ କରୁଥିଲା । ତାରକାସୁର,ବାଣାସୁର, ବିଶ୍ଵାମିତ୍ର, ରାବଣ, ମହିରାବଣ,କଂସ, ଦୁର୍ଯ୍ୟୋଧନ ଭଳି ଅନେକ ଚରିତ୍ରରେ ଏହି ପ୍ରଖ୍ୟାତ ଅଭିନେତାଙ୍କ ନିଖୁଣ ଅଭିନୟ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରୁଥିଲା । ଏହି ସୁବିଖ୍ୟାତ ମଞ୍ଚ ଅଭିନେତା ବିଷ୍ଣୁ ଚରଣଙ୍କ ପୂଣ୍ୟତିଥିରେ ତା’ଙ୍କ ଜନ୍ମମାଟି କଲ୍ୟାଣପୁର ଠାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ,ସ୍ବର୍ଗତ ଦାସ ବାସ୍ତବରେ କଳାର ପୂଜାରୀ ଥିଲେବୋଲି କହିଥିଲେ । ଏହି ଅବସରରେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ପ୍ରବଚନ ସହିତ ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *