ବିଜେପି ଓ ବିଜେଡ଼ି ମଧ୍ୟରେ ମେଂଟ ନେଇ ଚର୍ଚ୍ଚା ରେ ବିରାମ ଲାଗିଛି
ଭୁବନେଶ୍ୱର, ୨୨/୦୩/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା କହିଛନ୍ତି।ଗତ ୬ ତାରିଖ ଠାରୁ ବିଜେଡି ଓ ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି ଯେ, ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ୟ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡ଼ିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ ।
ଶ୍ରୀ ସାମଲ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଙ୍କ ପୋଷ୍ଟକୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ର ଆଗଧାଡ଼ିର ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାହାକୁ ମଧ୍ୟ ସେଆର କରିଛନ୍ତି ।
ତେଣୁ ଏବେ ରାଜ୍ୟରେ ବିଜେପି ଓ ବିଜେଡ଼ି ମଧ୍ୟରେ ମେଂଟ ହେଉନଥିବା ପରିଷ୍କାର ହୋଇଯାଇଛି । ବିଜେପି ଓ ବିଜେଡ଼ି ମଧ୍ୟରେ ମେଂଟ ହେବା ନେଇ ଲାଗିରହିଥିବା ଚର୍ଚ୍ଚା ରେ ବିରାମ ଲାଗିଛି ।
ବିଜେପି ଓଡ଼ିଶାର ୨୧ ଲୋକସଭା, ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ
