ଅସହାୟ ବୃଦ୍ଧଙ୍କୁ ସହାୟତାର ହାତ ବଢ଼ାଇଲା ‘ଭରଷା’

ମାହାଙ୍ଗା,୨୧/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମ ପଞ୍ଚାୟତର ଘିସୁଆଁ ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ଅନାଦି ଚରଣ ଜେନା ଦୀର୍ଘ ବର୍ଷ ଧରି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦିନେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ନିଜର ଛୋଟ ପରିବାରକୁ ଚଳାଉଥିବା ଶ୍ରୀ ଜେନା ଆଜି ଅସୁସ୍ଥତା ଓ ଆର୍ଥିକ ଅନଟନ ଯୋଗୁଁ ଅତ୍ୟନ୍ତ ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି।

ବର୍ତ୍ତମାନ ସେ ଶାରିରୀକ ଅସୁସ୍ଥତା କାରଣରୁ କୌଣସି କାର୍ଯ୍ୟ କରି ପରିବାର ଚଳାଇବାକୁ ଅସମର୍ଥ। ସରକାରଙ୍କ ପକ୍ଷରୁ ମିଳୁଥିବା ମାସିକ ଭତ୍ତା ହିଁ ତାଙ୍କର ଏକମାତ୍ର ଆର୍ଥିକ ସମ୍ବଳ। ଅନ୍ୟପକ୍ଷରେ, ସେ ବାସ କରୁଥିବା ଘରଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଅର୍ଥାଭାବ ଯୋଗୁଁ ଘରଟିର ମରାମତି କିମ୍ବା ଛପର କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।

ନିଜ ପାଇଁ ଏକ ପକ୍କା ଘର ଖଣ୍ଡିଏ ପାଇବା ଆଶାରେ ସେ ଅନେକ ଥର ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇପାରିନାହାନ୍ତି। ଫଳରେ ଏହି ବୃଦ୍ଧ ଦମ୍ପତିଙ୍କ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି।

ଏହି ଦୁଃଖଦ ଖବର ମାହାଙ୍ଗା ଅଞ୍ଚଳରେ ସମାଜସେବା କାର୍ଯ୍ୟରେ ନିୟୋଜିତ ‘ଭରଷା’ ସମାଜସେବକ ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିଥିଲା। ଭାରତୀୟ ଧର୍ମ, ସଂସ୍କୃତି, ଶାସ୍ତ୍ର, ପୁରାଣ, ନୀତି, ନିୟମ, ଆଦର୍ଶ ଓ ପରମ୍ପରାକୁ ଆଧାର କରି ସାମାଜିକ କ୍ଷେତ୍ରରେ ବିଭିନ୍ନ ଜନହିତକର କାର୍ଯ୍ୟ କରିଆସୁଥିବା ଏହି ସଙ୍ଗଠନର ସହ-ପରିଚାଳକ ଶ୍ରୀ ସୁଧାଂଶୁ ଶେଖର ସାହୁ ଶ୍ରୀ ଜେନାଙ୍କ ଅସୁସ୍ଥତା ଓ ଦୁର୍ଦ୍ଦଶା ସମ୍ପର୍କରେ ସଙ୍ଗଠନର ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ।

ଏହି ସୂଚନା ପାଇବା ପରେ ମଙ୍ଗଳବାର ଅପରାହ୍ଣ  ରେ, ‘ଭରଷା’ ସମାଜସେବକ ସଙ୍ଗଠନର ସଦସ୍ୟମାନେ ଘିସୁଆଁ ଗ୍ରାମରେ ପହଞ୍ଚି ଅସହାୟ ବୃଦ୍ଧ ଶ୍ରୀ ଅନାଦି ଚରଣ ଜେନାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସଙ୍ଗଠନର ଏହି ଛୋଟିଆ ପ୍ରୟାସ ମାଧ୍ୟମରେ ଅସହାୟ ପରିବାରଟିର ଦୁଃଖରେ ସାମିଲ ହୋଇ ମାନବିକତା ଓ ସେବା ମନୋଭାବର ଏକ ଉଦାହରଣ ସୃଷ୍ଟି କରାଯାଇଛି।

ଏହି ମହତ୍ କାର୍ଯ୍ୟକ୍ରମରେ ସଙ୍ଗଠନର ସାଧାରଣ ସମ୍ପାଦକ ଶ୍ରୀ କେଶବ ଚନ୍ଦ୍ର ମହାନ୍ତି, ସହ-ପରିଚାଳକ ଶ୍ରୀ ସୁଧାଂଶୁ ଶେଖର ସାହୁ, ସକ୍ରିୟ ସଦସ୍ୟ ଶ୍ରୀ ଅଭୟ କୁମାର ଖୁଣ୍ଟିଆ, ଶ୍ରୀ ମନମୋହନ ନାୟକ, ଶ୍ରୀ ଗଣେଶ୍ୱର ଜେନା, ଶ୍ରୀ ଉମାକାନ୍ତ ସାହୁ, ଶ୍ରୀ ବିଶ୍ୱଜିତ ସାହୁ ଓ ଶ୍ରୀ ଦେବାଶିଷ ମହାନ୍ତି ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *