ଯାଜପୁର,୧୬/୧୦/୨୦୨୬(ଓଡ଼ିଶା ସମାଚାର)- ବଡ଼ଚଣା ବ୍ଲକ ଅନ୍ତର୍ଗତ ଉଦୟଗିରି ବୌଦ୍ଧ ବିହାରଠାରେ ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର, ଉଦୟଗିରିଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗଦେଇଥିଲେ। ଶ୍ରୀମତୀ ୱାଙ୍ଗମୋ ଡେକ୍ସୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ଏହି ସମାରୋହରେ ବିଭିନ୍ନ ଦେଶରୁ ୨୦୦୦ରୁ ଊର୍ଦ୍ଧ୍ୱ ବୌଦ୍ଧ ସନ୍ନ୍ୟାସୀ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ରହଣି, ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ନେଇ ବିଧାୟକ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ମିଳନୀ ସମୟରେ ଶ୍ରଦ୍ଧାଳୁ ଓ ଅତିଥିମାନଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ସହିତ ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଓ ଚିକିତ୍ସା ଦଳ ନିୟୋଜନ, ସାପ କାମୁଡ଼ା ଚିକିତ୍ସା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ର ଉପଲବ୍ଧତା ଯୋଗାଇଦେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଏଥିସହ ସମ୍ମିଳନୀ ସ୍ଥଳ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା, ଜନସମାଗମ ଓ ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିସିଟିଭି କ୍ୟାମେରା ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ସମାରୋହ ଡିସେମ୍ବର ୨୮ ତାରିଖରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଥିବାରୁ ଆବଶ୍ୟକୀୟ ଭିତ୍ତିଭୂମି ଓ ମୌଳିକ ସୁବିଧା ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ ପାନୀୟ ଜଳ ଯୋଗାଣ, ଶୌଚାଳୟ, ବିଦ୍ୟୁତ୍ ସଂଯୋଗ ଏବଂ ସହାୟକ କର୍ମଚାରୀଙ୍କ ରହିବା ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା। ଏଥିସହ ବରିଷ୍ଠ ନାଗରିକଙ୍କ ଯାତାୟାତ ପାଇଁ ବ୍ୟାଟେରିଚାଳିତ ଯାନ, ଏବଂ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ଜନସମାଗମ ନିୟନ୍ତ୍ରଣ ପାଇଁ ବ୍ୟାରିକେଡିଂ, ଯାନବାହନ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ, ଯାତାୟାତ ନିୟନ୍ତ୍ରଣ ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ରଖିବା ଉପରେ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ କର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଜ ନିଜ ବିଭାଗର ପ୍ରସ୍ତୁତି କାର୍ଯ୍ୟ ଶେଷ କରି ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରତିକାନ୍ତ ଗିରି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନଗେନ୍ଦ୍ର ମହାପାତ୍ର, ପର୍ଯ୍ୟଟନ ବିଭାଗର ଉପସଚିବ ଶ୍ରୀ ଜଗଦୀଶ ଷଡ଼ଙ୍ଗୀ, ବଡ଼ଚଣା ବିଡିଓ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ବରୀ ବିଡିଓ ଶ୍ରୀମତୀ ମିନତୀ ଜଗଦେବ, ବରୀ ତହସିଲଦାର ଶ୍ରୀମତୀ ଦୀପ୍ତିମୟୀ ବେହେରା, ଦର୍ପଣ ତହସିଲଦାର ଶ୍ରୀ ମାନସ କୁମାର ତ୍ରିପାଠୀ ଏବଂ ବଡ଼ଚଣା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଅରବିନ୍ଦ ସାମଲ, ସହକାରୀ ଜିଲ୍ଲାପାଳ ତାପସ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଦେବବ୍ରତ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ କଳାକାର କମିଟିର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶ୍ରୀ ପ୍ରୀତିଶ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ ପାଇଁ ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
