ଯାଜପୁର,୦୬/୧୦/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ସହ ଉଚ୍ଚଶିକ୍ଷା ଜାରି ରଖିବାରେ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ପ୍ରଦାନ କାର୍ଯ୍ୟକ୍ରମ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଯାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲାର ୨୪ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ମୋଟ ୫୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏହି ଯାନ ପ୍ରଦାନ କରାଯାଇଛି।
ଏହି ଅବସରରେ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ପ୍ରଫେସର ଜମି ସାଗର ପୃଷ୍ଟି ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଜାନକୀ ହେମ୍ବ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ପଦକ୍ଷେପ ଦ୍ୱାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯାତାୟାତରେ ସ୍ୱାଧୀନତା ଆସିବା ସହ ଉଚ୍ଚଶିକ୍ଷା ଅବ୍ୟାହତ ରଖିବାରେ ସେମାନେ ଅଧିକ ଉତ୍ସାହିତ ହେବେ। ଏଥିସହ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ଓ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସମ୍ପୃକ୍ତି ସୁନିଶ୍ଚିତ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଜିଲ୍ଲାପାଳ ଶ୍ରୀ କର ମତପ୍ରକାଶ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
