ଜିଲାର ୧୫ ରାଜସ୍ୱ କର୍ମଚାରୀଙ୍କ ବଦଳି

କେନ୍ଦ୍ରାପଡ଼ା,୦୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଆଜି ରାଜସ୍ୱ କର୍ମଚାରୀଙ୍କର ଏକ ଅଦଳବଦଳ କରାଯାଇଛି । ପ୍ରଶାସନିକ ଆବଶ୍ୟକତା ଏବଂ ଜିଲାର ଦୈନନ୍ଦିନ କାର୍ଯ୍ୟାଳୟ ପରିଚାଳନାକୁ ଅଧିକ ସୁଚାରୁ ଓ ଗତିଶୀଳ କରିବା ପାଇଁ ଜିଲାପାଳଙ୍କ ପତ୍ର ସଂଖ୍ୟା -୧୬୬୪, ତା ୯.୯.୨୦୨୬ରିଖରେ ଏକକାଳୀନ ୧୫ ଜଣ ରାଜସ୍ୱ କର୍ମଚାରୀଙ୍କୁ ବଦଳି କରାଯାଇଛି ।

କଟକ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ପୂର୍ବ ଅନୁମୋଦନ କ୍ରମେ ଜିଲାର ବିଭିନ୍ନ ବ୍ଲକ୍, ତହସିଲ, ଆଇସିଡିଏସ୍ ଓ ଜିଲାପାଳଙ୍କ କାର୍ଯ୍ୟାଳୟର ୧୫ ଜଣ କର୍ମଚାରୀଙ୍କୁ ଜିଲାପାଳ ରଘୁରାମ ଆର. ଆୟାର ବଦଳି କରିଛନ୍ତି । ଏହି ବଦଳି ତାଲିକାରେ ଜଣେ ସେକ୍ସନ ଅଫିସର, ୧୦ ଜଣ ବରିଷ୍ଠ ରାଜସ୍ୱ ସହାୟକ (ଏସଆରଏ) ଏବଂ ୪ ଜଣ କନିଷ୍ଠ ରାଜସ୍ୱ ସହାୟକ (ଜେଆରଏ) ସାମିଲ ଅଛନ୍ତି । ଏହି ବଦଳି ତାଲିକାରେ ଡେରାବିଶ ବ୍ଲକର ସେକ୍ସନ ଅଫିସର ମୀନାକ୍ଷୀ ବାରିକଙ୍କୁ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟକୁ ବଦଳି କରାଯାଇଛିି ।ସେହିପରି ଜିଲାର ୧୦ ଜଣ ବରିଷ୍ଠ ରାଜସ୍ୱ ସହାୟକ (ଏସଆରଏ) ଙ୍କୁ ବିଭିନ୍ନ ତହସିଲ ଓ ବ୍ଲକକୁ ବଦଳି କରାଯାଇଛି ।

ଏହି ୧୦ ବରିଷ୍ଠ ରାଜସ୍ୱ ସହାୟକଙ୍କ ମଧ୍ୟରେ କନିକା ତହସିଲରୁ ରୀନା ନାଥଙ୍କୁ ପଟ୍ଟାମୁଣ୍ଡାଇ ତହସିଲ, ସସ୍ମିତା ରାଉତଙ୍କୁ ରାଜନଗର ଆଇ.ସି.ଡି.ଏସ୍. କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ,ଦୁଷ୍ମନ୍ତ ପାତ୍ରଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକରୁ ଆଳି ବ୍ଲକ କାର୍ଯ୍ୟାଳୟ, ସିଲି ବେହେରାଙ୍କୁ କନିକା ତହସିଲରୁ ଗରଦପୁର ତହସିଲ, ସଲମା ମାଝୀଙ୍କୁ କେନ୍ଦ୍ରାପଡ଼ା ତହସିଲରୁ ମାର୍ଶାଘାଇ ତହସିଲ, ପ୍ରଜ୍ଞା ପରମିତା ଜେନାଙ୍କୁ କେନ୍ଦ୍ରାପଡ଼ା ତହସିଲରୁ କନିକା ତହସିଲ, ପ୍ରଦୀପ କୁମାର ଦାଶଙ୍କୁ କେନ୍ଦ୍ରାପଡ଼ା ତହସିଲରୁ ଗରଦପୁର ତହସିଲ, ପ୍ରିୟଙ୍କା ସାହାଣୀଙ୍କୁ ପଟ୍ଟାମୁଣ୍ଡାଇ ତହସିଲରୁ କନିକା ତହସିଲ, ସତ୍ୟବ୍ରତ ଗିରିଙ୍କୁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ରାଜନଗର ଆଇ.ସି.ଡି.ଏସ୍.କୁ ଓ ନିରଞ୍ଜନ ବାରିକଙ୍କୁ ଡେରାବିଶ ବ୍ଲକରୁ ରାଜନଗର ତହସିଲ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।

ସେହିପରି ଜିଲାର ୪ ଜଣ କନିଷ୍ଠ ରାଜସ୍ୱ ସହାୟକ (ଜେଆରଏ)ଙ୍କ ମଧ୍ୟରୁ କେଶବାନନ୍ଦ ସେଠୀଙ୍କୁ ପଟ୍ଟାମୁଣ୍ଡାଇ ତହସିଲରୁ ରାଜନଗର ତହସିଲ, ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ତହସିଲରୁ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ, ଆଲୋକ ରଞ୍ଜନ ରାଉତଙ୍କୁ ପଟ୍ଟାମୁଣ୍ଡାଇ ତହସିଲରୁ ମହାକାଳପଡ଼ା ତହସିଲ ଓ କିରଣ କୁମାରଙ୍କୁ ମହାକାଳପଡ଼ା ତହସିଲରୁ ମାର୍ଶାଘାଇ ତହସିଲ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ତେବେ ଏହି ସରକାରୀ ନିର୍ଦ୍ଧେଶନାମାରେ ଜିଲା ପ୍ରଶାସନ ପକ୍ଷରୁ କଡ଼ା ଚେତାବନୀ ମଧ୍ୟ ଦିଆଯାଇଛି ।

ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଧେଶ ଦିଆଯାଇଛି ଯେ ବଦଳି ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ସୁଦ୍ଧା କାର୍ଯ୍ୟରୁ ଅବ୍ୟାହତି ବା ରିଲିଭ୍ କରିବାକୁ ହେବ । ଯଦି କୌଣସି କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କୁ ରିଲିଭ୍ କରାନଯାଏ ତେବେ ୧୯ ତାରିଖରୁ ସେମାନେ ସେଂଟ୍ରାଲି ଭାବେ ରିଲିଭ୍ ହୋଇଥିବା ଧରି ନିଆଯିବ ଏବଂ ସେମାନଙ୍କୁ ତୁରନ୍ତ ନୂତନ କାର୍ଯ୍ୟାଳୟରେ ଯୋଗଦେବାକୁ ପଡ଼ିବ । ଏହି ଆଦେଶରେ କୌଣସି ପ୍ରକାରର ଅବହେଳା କିମ୍ବା ଖିଲାପକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *