ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

କେନ୍ଦ୍ରାପଡ଼ା,୦୯/୦୯/୨୦୨୬ (ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (ଏସଆଇଆର)-୨୦୨୬ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ପାଇଁ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ ଏସଆଇଆରର ରୋଲ ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସିିଥିଲେ । ଗସ୍ତ ସମୟରେ ଶ୍ରୀ ପାଟିଲ ୯୭-କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡମୂଳବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୪୯ ଓ ୫୦, ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଢ଼ାଖଣ୍ଡ ମଠସାହିର ବୁଥ୍ ନମ୍ବର ୧୩୩ ଏବଂ ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟ, ଅଠରବାଟିଆର ବୁଥ୍ ନମ୍ବର ୧୩୪ ଓ ୧୩୫ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ସୁପରଭାଇଜର, ବୁଥ୍ ସ୍ତରୀୟ ଏଜେ (ବିଏଲଏ) ଏବଂ ପିଆରଆଇ ସଦସ୍ୟମାନଙ୍କ ସହ ଏସଆଇଆର-୨୦୨୬ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ, ଯୋଗ୍ୟ ଭୋଟରମାନଙ୍କୁ ଯୋଗ କରିବା ଏବଂ ଅଯୋଗ୍ୟଙ୍କୁ ତାଲିକାରୁ ବାଦ ଦେବା ସହ ତଥ୍ୟ ଯାଂଚ ଏବଂ ଏସଆଇଆର ପ୍ରକ୍ରିୟାର ସୁଚାରୁ କାର୍ଯ୍ୟାନ୍ୱୟନ ସମ୍ପର୍କରେ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ତହସିଲଦାର ପଂଚାନନ ନାୟକ ଉପସ୍ଥିତ ଥିଲେ ।

ପରେ ସେ ସର୍କିଟ ହାଉସରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ସମେତ ଜିଲାର ୫ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ)ମାନଙ୍କ ସହ ଏସଆଇଆର-୨୦୨୬ର ଜିଲାସ୍ତରୀୟ ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ବୈଠକରେ ୯୬-ପାଟକୁରା ନିର୍ବାଚନ ମଣ୍ଡଳୀର ଇଆରଓ ଅଜାମ୍ବର ମହାନ୍ତି, ୯୭-କେନ୍ଦ୍ରାପଡ଼ାର ଇଆରଓ ଅରୁଣ କୁମାର ନାୟକ, ୯୮-ଆଳିର ଇଆରଓ ନବକ୍ରିଷ୍ଣ ଜେନା, ୯୯-ରାଜନଗରର ଇଆରଓ ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ୧୦୦-ମହାକାଳପଡ଼ାର ଇଆରଓ ସନ୍ଧ୍ୟାଞ୍ଜଳୀ ମାଝୀଙ୍କ ସମେତ ଏଇଆରଓ ଅଭିଷେକ ସ୍ୱାଇଁ, ଅନିରୁଦ୍ଧ ବେହେରା, ତ୍ରିନାଥ ବେହେରା ଓ ଇପ୍ସିତା ପ୍ରିୟଦର୍ଶିନୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ)ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଏସଆଇଆର-୨୦୨୬ର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ପ୍ରଗତି, କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ, ଭୋଟରମାନଙ୍କ ଅଂଶଗ୍ରହଣ ଏବଂ ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏସଆଇଆର-୨୦୨୬ର ସଫଳ ରୂପାୟନ ପାଇଁ ସମସ୍ତ ଅଧିକାରୀ, ବିଏଲଓ ଓ କ୍ଷେତ୍ରସ୍ତରୀୟ କର୍ମଚାରୀ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଯୋଗ୍ୟ ଭୋଟରମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ଉପରେ ଶ୍ରୀ ପାଟିଲ ଗୁରୁତ୍ୱାରୋପ କରିଥିଲେ ।

Leave a Reply

Your email address will not be published. Required fields are marked *