ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁ

ପାରଳାଖେମୁଣ୍ଡି, ୦୬/୦୯/୨୦୨୬ (ଓଡ଼ିଶା ସମାଚାର)-ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ରୁନା ବଡ଼ରଇତ । ପ୍ରାୟ ୪୫ ଦିନ ଧରି ସେ ଏକ ପୋକ୍ସୋ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ ରେ ଥିଲେ। ଜେଲରଙ୍କ ସୂଚନା ଅନୁଯାୟୀ, ରୁନା ଶନିବାର ରାତିରେ ରାତ୍ରିଭୋଜନ ସାରି ବିଶ୍ରାମ ନେଉଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ। ଜେଲ ଫାର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ପରିବାରକୁ ପ୍ରଥମେ ରୁନାଙ୍କ ଅସୁସ୍ଥତା ଏବଂ ପରେ ମୃତ୍ୟୁ ସମ୍ପର୍କରେ ଜଣାଇ ଦିଆଯାଇଥିବା ଜେଲର କହିଛନ୍ତି। ପାରଳାଖେମୁଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ରୁନାଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୁନାଙ୍କ ପରିବାରରେ ସ୍ତ୍ରୀ ଓ ଏକ ଛୋଟ ଝିଅ ଥିବାବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଜୀବିକାକୁ ନେଇ ପରିବାର ଚିନ୍ତାରେ ପଡ଼ିଛି। ଜେଲ ହାଜତରେ ମୃତ୍ୟୁ ହୋଇଥିବାରୁ ଉପଯୁକ୍ତ କ୍ଷତିପୂରଣ ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *