ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ୨୦୨୭ ଆୟୋଜନ

ଯାଜପୁର, ୦୩/୦୯/୨୦୨୬ (ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ମେରା ଯୁବା ଭାରତ ପକ୍ଷରୁ ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ ୨୦୨୭ ଆୟୋଜନ ହେଉଅଛି।  ଏହା ଜାତୀୟ ଯୁବ ମହୋତ୍ସବର ଏକ ଅଂଶ ଭାବେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ଯୁବ ଭାରତୀୟମାନଙ୍କୁ ବିକଶିତ ଭାରତ@୨୦୪୭ର ଲକ୍ଷ୍ୟ ଦିଗରେ ନିଜର ଚିନ୍ତାଧାରା, ସୃଜନଶୀଳତା, ନବସୃଜନ ଏବଂ ନେତୃତ୍ୱ ପାଇଁ ଏକ ସୁଯୋଗ ପ୍ରଦାନ କରିବ। ଏହି ଭବ୍ୟ ଜାତୀୟ କାର୍ଯ୍ୟକ୍ରମ ୧୦ ରୁ ୧୨ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫–୨୯ ବର୍ଷ ବୟସର ଯୁବକ-ଯୁବତୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ।

ଏଥିରେ ବିକଶିତ ଭାରତ ଚ୍ୟାଲେଞ୍ଜ, ସାଂସ୍କୃତିକ ଟ୍ରାକ୍, ଡିଜାଇନ୍ ଫର୍ ଭାରତ, ହ୍ୟାକ୍ ଫର୍ ସୋସିଆଲ୍ କଜ୍, ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ଏବଂ ଯୁବ ସଂସଦ ଭଳି ଛଅଟି ଟ୍ରାକ୍ ଆୟୋଜିତ ହେବ। ଏହି ପଦକ୍ଷେପ ଯୁବ ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ରାଜ୍ୟସ୍ତର ଏବଂ ଶେଷରେ ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ମଞ୍ଚ ପର୍ଯ୍ୟନ୍ତ ଆଗକୁ ବଢ଼ିବା ପାଇଁ ଏକ ସୁସଂଗଠିତ ମାର୍ଗ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମ ସମ୍ପର୍କିତ ବିସ୍ତୃତ ସୂଚନା “ମାଇ ଭାରତ” ପୋର୍ଟାଲରେ ଉପଲବ୍ଧ ଅଛି ଏବଂ ଅଂଶଗ୍ରହଣକାରୀମାନଙ୍କ ପାଇଁ କୁଇଜ୍ ସକ୍ରିୟ ରହିଛି। ମାଇ ଭାରତ ପକ୍ଷରୁ ଯାଜପୁର ଜିଲ୍ଲାର ସମସ୍ତ ଯୋଗ୍ୟ ଯୁବକ-ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ନିଜର ଜ୍ଞାନ, ପ୍ରତିଭା, ସୃଜନଶୀଳତା, ନେତୃତ୍ୱ ଏବଂ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବା ପାଇଁ ଅନୁରୋଧ କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *