ଚାରିଜଣ ପାଲା କଳାକାରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

କଟକ, ୨୧/୦୮/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଓଡ଼ିଶାର ପାଲା କଳା ଓ ସାହିତ୍ୟ କ୍ଷେତ୍ରକୁ ସମୃଦ୍ଧ କରିଥିବା ଚାରି ବିଶିଷ୍ଟ ପାଲା ଗାୟକଙ୍କ ସ୍ମୃତିରେ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ପାହାଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଜୟରଶାସନସ୍ଥିତ ପଞ୍ଚବଟୀ ପାଲା ପ୍ରଶିକ୍ଷଣ ଓ ପାଠାଗାର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧାର ଗାୟକ ସମ୍ରାଟ ଅଭୟ ଚରଣ ସ୍ବାଇଁ, ଜଗତସିଂହପୁରର ଗାୟକ ଶେଖର ଜଗନ୍ନାଥ ବେହେରା, ଯାଜପୁରର ଗାୟକ ନଟରାଜ ଚୈତନ୍ୟଚରଣ ବିଶ୍ଵାଳ ଓ ସମ୍ବଲପୁରର ଗାୟକ ପଶ୍ଚିମ କବାଟ ରାଧେଶ୍ୟାମ ପଣ୍ଡାଙ୍କ ଅବଦାନକୁ ସ୍ମରଣ କରି ଉପସ୍ଥିତ ସଦସ୍ୟମାନେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ପରିଷଦର ରାଜ୍ୟ ସଭାପତି ମଦନମୋହନ ଜେନା, ସମ୍ପାଦକ ବସନ୍ତ କୁମାର ରାଉତ, ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ଯୁଧିଷ୍ଠିର ପରିଜା, ସରକାରୀ ସଂଯୋଜକ ସନ୍ତୋଷ ମହାପାତ୍ର, ପୂର୍ବତନ ସରପଞ୍ଚ କେଳୁଚରଣ ଖୁଣ୍ଟିଆ, କେଳୁଚରଣ ବେହେରା, ଉଗ୍ରସେନ ପାଢ଼ୀ, ଟ୍ରଷ୍ଟ ସମ୍ପାଦକ ସୁଦର୍ଶନ ମହାପାତ୍ର, ଶୁଭ୍ରାଂଶୁ ପାଇକରାୟ, ବିଘ୍ନେଶ୍ଵର ତରାଇ, ପୂର୍ଣ୍ଣଚନ୍ଦ୍ର ବେହେରା, ମାଗୁଣି ସାହୁ, ହର୍ଷବର୍ଦ୍ଧନ ସାହୁ ଓ ରାଜକିଶୋର ବେହେରା ପ୍ରମୁଖ ଯୋଗଦେଇ ପାଲା ଜଗତ ପ୍ରତି ସେମାନଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଏହି ବିଶିଷ୍ଟ କଳାକାରମାନେ ନିଜର ସୁମଧୁର କଣ୍ଠ, ଜ୍ଞାନ, ଅଭିନୟ ଓ ପାଲା ପରିବେଷଣ ମାଧ୍ୟମରେ ଓଡ଼ିଶାର ଲୋକକଳା ଓ ସାଂସ୍କୃତିକ ପରମ୍ପରାକୁ ଜନମାନସରେ ଲୋକପ୍ରିୟ କରିବା ସହ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଦେଇଯାଇଛନ୍ତି। ପରିଷଦର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସ୍ଥିତ ସମସ୍ତେ ଦିବଂଗତ କଳାକାରମାନଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *