୨୯୦ ହିତାଧିକାରୀ ଶିବିରରେ ସାମିଲ,
ସହାୟକ ଉପକରଣ ବଣ୍ଟନ ଓ ପାରା-ଆଥଲେଟଙ୍କୁ ସମ୍ବର୍ଦ୍ଧନା
ଯାଜପୁର, ୨୧/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କୁ ସରକାରୀ ସାମାଜିକ ସୁରକ୍ଷା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ। 

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ ନିଜ ବକ୍ତବ୍ୟରେ କହିଥିଲେ “ଭିନ୍ନକ୍ଷମମାନେ ସମାଜର ଆବଶ୍ୟକୀୟ ଅଙ୍ଗ, ସେମାନେ କୌଣସି ଗୁଣରେ କାହାରିଠାରୁ କମ୍ ନୁହଁନ୍ତି। ସେମାନଙ୍କର ଆତ୍ମବିଶ୍ୱାସ ଓ ପ୍ରତିଭାକୁ ସଠିକ୍ ଦିଗଦର୍ଶନ ଦେବା ଏବଂ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଭାବେ ସଶକ୍ତ କରିବା ପାଇଁ ଆମ ସରକାର ସଦାସର୍ବଦା ବଦ୍ଧପରିକର। ଆଜିର ଏହି ଶିବିର କେବଳ ସହାୟତା ବଣ୍ଟନର ମାଧ୍ୟମ ନୁହେଁ, ବରଂ ସେମାନଙ୍କ ଜୀବନରେ ଆଶା ଓ ସ୍ୱାବଲମ୍ବନର ନୂତନ ଆଲୋକ ଭରିବାର ଏକ ନିଷ୍ଠାପର ପ୍ରୟାସ।”
ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ (DSSO) ଶ୍ରୀମତୀ ଜାନକୀ ହେମ୍ବ୍ରମ, ତହସିଲଦାର, ବ୍ୟାସନଗର ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ, ଶ୍ରୀ ସଞ୍ଜିତ୍ କୁମାର ମହାନ୍ତି ଏବଂ ଶ୍ରୀ ରମଣୀ ରଞ୍ଜନ ବଳ ସାମନ୍ତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶିବିରର ସଫଳ ପରିଚାଳନାରେ ସହଯୋଗ କରିଥିଲେ।
ଶିବିରରେ ସୁକିନ୍ଦା ବ୍ଲକର ବିଭିନ୍ନ ପ୍ରାନ୍ତରୁ ମୋଟ ୨୯୦ ଜଣ ଭିନ୍ନକ୍ଷମ ହିତାଧିକାରୀ ଅଂଶଗ୍ରହଣ କରି ନିଜର ନାମ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ଅସ୍ଥିଶଲ୍ୟ (OH) ବିଭାଗରେ ୧୫୭ ଜଣ, କର୍ଣ୍ଣ/ନାସା/ଗଳା/ଶ୍ରବଣ ବାଧିତ (HI) ବିଭାଗରେ ୬୨ ଜଣ, ମାନସିକ ବାଧିତ (MR/CP) ବିଭାଗରେ ୩୫ ଜଣ, ଦୃଷ୍ଟି ବାଧିତ (VI) ବିଭାଗରେ ୩୧ ଜଣ ଏବଂ ଭେଷଜ/ବହୁବିଧ ବାଧିତ (MD) ବିଭାଗରେ ୫ ଜଣ ହିତାଧିକାରୀ ସାମିଲ ହୋଇଥିଲେ।
ଏହି ଅବସରରେ ଆବଶ୍ୟକତା ଅନୁଯାୟୀ ହିତାଧିକାରୀଙ୍କୁ ୪ ଟି ହୁଇଲ୍ ଚେୟାର (Wheelchair), ୧ ଟି ରୋଲେଟର (Rollator) ଏବଂ ୧ ଟି ଧଳା ବାଡ଼ି (Blind Stick) ପ୍ରଦାନ କରାଯାଇଥିଲା। ଏହା ସହିତ କ୍ରୀଡ଼ା କ୍ଷେତ୍ରରେ ନିଜର ଶ୍ରେଷ୍ଠ ଯୋଗଦାନ ପାଇଁ ୨ ଜଣ କୃତୀ ପାରା-ଆଥଲେଟଙ୍କୁ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
