ଢେଙ୍କାନାଳ, ୨୩/୦୭/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ପାଇଁ ଗତ କାଲି ଥିଲା କାଳରାତ୍ରିର ଦିନ । ଭିନ୍ନ ଭିନ୍ନ ୨ଟି ଦୁର୍ଘଟଣାରେ ୭ ନିରିହ ଜୀବନ ଅକାଳରେ ଚାଲିଗଲା । ବରଯାତ୍ରୀ ହସ ଖୁସି ମିଳେଇଯାଇ ସୃଷ୍ଟିହେଲା ଶୋକାକୁଳ ପରିବେଶ । ସାଙ୍ଗର ବିବାହ ଭୋଜି ଖାଇ ଫେରୁଥିବା ବେଳେ ଛାଟିଆ ଗ୍ରାମ ହାଡିଆବନ୍ଧ ନାଳ ମଧ୍ୟକୁ ପଶିଯାଇଥିଲା ବରଯାତ୍ରୀ ଗାଡି । ଗାଡି ଭିତରେ ବସିଥିବା ୭ଜଣ ସାଙ୍ଗ ମାନଙ୍କ ମଧ୍ୟରୁ ୨ଜଣ ଉଦ୍ଧାର ହୋଇଥିବାବେଳେ ଚାଲିଗଲା ୫ଜଣଙ୍କ ଜୀବନ । ଘଟଣାରୁ ଜଣାପଡିଛିଯେ ଓଡାପଡା ବ୍ଲକ ବାଙ୍ଗୁରସିଂ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପୁଅ ଅଭିଶେକ ସାହୁଙ୍କ ବାହାଘର ପାଇଁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁରୁ ଛାଟିଆ ଗ୍ରାମକୁ ବରଯାତ୍ରୀ ଆସିଥିଲେ ।
ବାଜା, ବାଣ ଓ ରୋଷଣିରେ ବିବାହ ଶୋଭାଯାତ୍ରା ପରେ ଭୋଜିଭାତ ସାରି ସମସ୍ତେ ହସଖୁସିରେ ଫେରିଥିଲେ । ବରଯାତ୍ରୀ ସହିତ ଯାଇଥିବା ଅଭିଶେକର ୭ଜଣ ସାଙ୍ଗଏକ ଏକ୍ସୟୁଭି ଗାଡିରେ ଘରକୁ ଫେରୁଥିବା ସମୟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ନାଳ ମଧ୍ୟକୁ ପଶିଯାଇଥିଲା । ସେଠାରୁ ୨ଜଣ କୌଣସି ମତେ ଗାଡିରୁ ବାହାରି ଗ୍ରାମବାସୀଙ୍କୁ ଡାକିଥିଲେ । ହେଲେ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବା ପୂର୍ବରୁ ଗାଡି ଭିତରେ ଥିବା ୫ଜଣଙ୍କର ଶ୍ୱାସ ରୁଦ୍ଧ ହୋଇ ଜୀବନ ଚାଲିଯାଇଥିଲା । ମୃତ୍ୟୁ ବରଣ କରିଥିବା ୫ଜଣଙ୍କ ଭିତରୁ ୪ଜଣଙ୍କ ଘର ବାଙ୍ଗୁରସିଂ ଗ୍ରାମରେ ହୋଇଥିଲାବେଳେ ଜଣଙ୍କର ଘର ଚାଇଁପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି । ମୃତକ ହେଲେ ବାଙ୍ଗୁରସିଂ ଗ୍ରାମର ରାକେଶ କୁମାର ସାହୁ, ଅବିନାଶ ସାହୁ, ଶ୍ରୀରାମ ସାହୁ, ଚନ୍ଦ୍ରକାନ୍ତ ସ୍ୱାଇଁ ଓ ଚାଇଁପୁରର ଅଭିଜିତ ସାହୁ । ବର୍ତ୍ତିଯାଇଥିବା ୨ଜଣ ହେଲେ ବିଶ୍ୱଜିତ ସାହୁ ଓ ସୌମ୍ୟରଞନ ସାହୁ ।
ସ୍ଥାନୀୟ ବାସିନ୍ଦା ଓ ସଦରଥାନା ପକ୍ଷରୁ ସମସ୍ତ ୫ଜଣଙ୍କ ମୃତ ଶରୀରକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଳୟ ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହିତ କାନ୍ଦ ବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡିଥିଲା । ମୁଖ୍ୟ ଚିକିତ୍ସାଳୟରେ ପୁର୍ବତନ ସାଂସଦ ମହେଶ ସାହୁ,ଢେଙ୍କାନାଳର ପୁର୍ବତନ ବିଧାୟକ ସୁଧିର କୁମାର ସାମଲ, ବିଜେଡି କାର୍ୟ୍ୟକାରୀ ସଭାପତି ନରୋତ୍ତମ ସାହୁ. ବିଜେପି ଜିଲା ସଭାପତି ରାସବିହାରି ବେହେରା, ରାମଚନ୍ଦ୍ର ପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
ତେବେ ଅପରାହ୍ନରେ ବାଙ୍ଗୁରସିଂ ଗ୍ରାମ ସ୍ମଶାନ ଠାରେ ଏକ ଶୋକାକୁଳ ପରିବେଶରେ ସମସ୍ତ ୪ ମୃତ ଦେହକୁ ଏକତ୍ର ଦାହ କରାଯାଇଥିବା ବେଳେ ମୃତ ଅଭିଜିତ ସାହୁଙ୍କ ମର ଶରୀରକୁ ପୁରୀ ଠାରେ ଦାହ କରାଯାଇଥିବା ସୁଚନା ମିଳିଛି । ସମସ୍ତ ମୃତକଙ୍କ ପରିବାରକୁ ଜିଲା ରେଡକ୍ରସ ତରଫରୁ ୧୫ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ୩ହଜାର ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ବାଙ୍ଗୁରସିଂ ସରପଞ୍ଚ ଚନ୍ଦ୍ରଭାନୁ ଦଳେଇ । ବାଙ୍ଗୁରସିଂ ଯୁବ ସମାଜସେବୀ ଜଗବନ୍ଧୁ ଦଳେଇଙ୍କ ଦ୍ୱାରା ସମସ୍ତ କାର୍ୟ୍ୟ ସମ୍ପାଦନ ହୋଇଥିଲା ।
ସେହିପରି ଗତକାଲି ରାତିରେ ଅନ୍ୟଏକ ଘଟଣାରେ ଢେଙ୍କାନାଳ ଟାଉନ ଥାନ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ମହିଷାପାଟ ଠାରେ ଥିବା ନିରୁପମା ହୋଟେଲ ସମ୍ମୁଖରେ ଏକ ସ୍କୁଟି ଓ ଇନୋଭା କାର ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍କୁଟିରେ ଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ୨ଘଟଣା ଢେଙ୍କାନାଳ ଜିଲାରେ ଏକ ଶୋକାକୁଳ ପରିବେଶ ସୃଷ୍ଠି କରିଛି ।
