ଜାପାନରେ ଓଡ଼ିଶାର ଗୌରବ: ‘ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ’ରେ ଭାରତର ପ୍ରତିନିଧିତ୍ଵ କଲେ ରାଜ୍ୟର ୪ ଜଣ ମେଧାବୀ ଛାତ୍ରଛାତ୍ରୀ

ଭୁବନେଶ୍ୱର,୦୨/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ର ପାଇଁ ଏକ ଗର୍ବର ବିଷୟ ଯେ, ରାଜ୍ୟର ୪ ଜଣ ମେଧାବୀ ଛାତ୍ରଛାତ୍ରୀ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ତଥା ସମଗ୍ର ଦେଶର ନାମ ରଖିଛନ୍ତି। ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି (JST) ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ

 ‘ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ (SSHP) ୨୦୨୬’ ରେ ଭାରତର ପ୍ରତିନିଧିତ୍ଵ କରି ଓଡ଼ିଶାର ଚାରି ଜଣ ଛାତ୍ରଛାତ୍ରୀ ସଫଳତାର ସହ ନିଜର ଦଶଦିନିଆ (୨୧ ମେ ରୁ ୩୧ ମେ ୨୦୨୬) ଜାପାନ ଗସ୍ତ ସମାପ୍ତ କରି ଦେଶକୁ ଫେରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ସେହି ଗୌରବମୟ ଶିକ୍ଷାର୍ଥୀମାନେ ହେଲେ:

୧.ବିଷ୍ଣୁ ପ୍ରସାଦ ଜେନା – ବି.ଜେ.ବି ଜେ.ସ୍.ସ୍ , ଭୁବନେଶ୍ୱର (ଖୋର୍ଦ୍ଧା)

୨ ଶୁଭମ୍ ନାୟକ– ସରକାରୀ ହାଇସ୍କୁଲ, କୋରାପୁଟ

୩ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓରିୟା, ତେଲକୋଇ (କେନ୍ଦୁଝର)

୪ ଆଦ୍ୟାଶା ପଣ୍ଡା– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରେଙ୍ଗାଲି (ସମ୍ବଲପୁର)

ଏହି ଜାପାନ ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ ଜାପାନର ପ୍ରସିଦ୍ଧ ସହର ତୁସୁକୁବା (Tsukuba) ଏବଂ ଆସାକୁସା (Asakusa) ଭ୍ରମଣ କରିବା ସହ ‘ଶିବାଉରା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ ଏବଂ ‘କାଶିୱା ଜୁନିୟର ଆଣ୍ଡ ସିନିୟର ହାଇସ୍କୁଲ’ରେ ଆୟୋଜିତ ବିଭିନ୍ନ ଶୈକ୍ଷିକ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଚୟନିତ ଛାତ୍ରଛାତ୍ରୀମାନଙ୍କୁ ଜାପାନର ଶୀର୍ଷ ସ୍ତରର ବିଶ୍ୱବିଦ୍ୟାଳୟ ଏବଂ ପ୍ରମୁଖ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ପରିଦର୍ଶନ କରିବାର ଏକ ଅପୂର୍ବ ସୁଯୋଗ ମିଳିଥିଲା। ଏହା ସହିତ ସେମାନେ ଜାପାନର ନୋବେଲ ବିଜେତା ଏବଂ ବିଶିଷ୍ଟ ପ୍ରଫେସରମାନଙ୍କ ବକ୍ତବ୍ୟ ଶୁଣିବା ସହ ଜାପାନର ସମୃଦ୍ଧ ସଂସ୍କୃତି ଓ ଆଧୁନିକ ବୈଜ୍ଞାନିକ ପ୍ରଗତିକୁ ଅତି ନିକଟରୁ ଅନୁଭବ କରିଛନ୍ତି।

‘ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ’ ହେଉଛି ଏକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ, ଯେଉଁଥିରେ ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି ପକ୍ଷରୁ ଏସୀୟ ଦେଶଗୁଡ଼ିକର ମେଧାବୀ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ଏକ ସପ୍ତାହ ପାଇଁ ଜାପାନ ଆମନ୍ତ୍ରଣ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଭାରତରୁ ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ୧୫ ବର୍ଷରୁ ଅଧିକ ବୟସର ଯୋଗ୍ୟ ଶିକ୍ଷାର୍ଥୀମାନଙ୍କୁ ଚୟନ କରାଯାଇ ଜାପାନର ଉନ୍ନତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସଂସ୍ପର୍ଶରେ ଆସିବାର ସୁଯୋଗ ପ୍ରଦାନ କରାଯାଏ।

ଓଡ଼ିଶାର ଏହି ଚାରି ଜଣ ଛାତ୍ରଛାତ୍ରୀଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେବା ସହ ଓଡ଼ିଶାର ଅନ୍ୟାନ୍ୟ ଯୁବ ଶିକ୍ଷାର୍ଥୀ ଓ ଭବିଷ୍ୟତର ବୈଜ୍ଞାନିକମାନଙ୍କୁ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି।

-0-

ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *