ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ଓଡ଼ିଶା ହାଇକୋର୍ଟ

କଟକ,୧୫/୦୭/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟ ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଏବଂ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଥିଲା ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଫିଲ୍ମରେ ମହାପ୍ରଭୁ ଜଗନ୍ନାଥଙ୍କ ଶୈଶବ, କଥାବାର୍ତ୍ତା ଓ ଦୁଃସାହସିକ ଘଟଣାକୁ କାଳ୍ପନିକ ଭାବେ ଉପସ୍ଥାପନ କରାଯାଇଛି। ଯାହା ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ଶ୍ରୀମନ୍ଦିର ପରମ୍ପରା ସହ ସାମଞ୍ଜସ୍ୟ ନୁହେଁ। ଏହା ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି, ରୀତି ନୀତି, ପରମ୍ପରାର ବିରୁଦ୍ଧାଚରଣ କରୁଛି ।

ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ, ଏହା ଏକ କାଳ୍ପନିକ କାହାଣୀ । ବିଶେଷକରି ରଥଯାତ୍ରା ସମୟରେ ଏପରି ଫିଲ୍ମ ମୁକ୍ତିଲାଭ କଲେ ଶାନ୍ତିଶୃଙ୍ଖଳା ବ୍ୟାହତ ହେବାର ଆଶଙ୍କା ଥିବାରୁ କୋର୍ଟ ଫିଲ୍ମ ରିଲିଜ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫ କୁ ଧାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *