୪୮ ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

  • ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ
  • ବିଳମ୍ବିତ ପ୍ରକଳ୍ପର ସମସ୍ୟା ସମାଧାନ ଦିଗରେ ଆଲୋଚନା
  • ଖୁବ୍‌ଶୀଘ୍ର ୧୭୨୧ କୋଟି ମୂଲ୍ୟର ୪୯ଟି ପ୍ରକଳ୍ପର ହେବ ଲୋକାର୍ପଣ
  • ରାଜ୍ୟରେ ୧୨୧୦୨ କୋଟି ମୂଲ୍ୟର ୪୭ଟି ନୂଆ ପ୍ରକଳ୍ପର ହେବ ଭିତ୍ତିପ୍ରସ୍ତର ସ୍ଥାପନ
  • ରୋଡ଼୍‌ ନେଟ୍‌ୱାର୍କ କ୍ଷେତ୍ରରେ ସାରା ଦେଶର ସମୃଦ୍ଧ ରାଜ୍ୟ ହେବ ଓଡ଼ିଶା

ଭୁବନେଶ୍ୱର,୦୧/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ଆଧାର କରି ରାଜ୍ୟର ରୋଡ଼୍‌ ନେଟ୍‌ୱାର୍କକୁ ସମୃଦ୍ଧ କରିବା କ୍ଷେତ୍ରରେ ଆମେ ଆଗେଇ ଚାଲିଛୁ । ସମସ୍ତଙ୍କ ମିଳିତ ସହଯୋଗରେ ଆମେ ବିଗତ ବର୍ଷ ତୁଳନାରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛୁ । ତେବେ ଏହି ଧାରାକୁ ବଜାୟ ରଖିବା ଏବଂ ପ୍ରକଳ୍ପଗୁଡ଼ିକୁ ଅଧିକ ତ୍ୱରିତ ଗତିରେ ଆଗେଇନେବା ଲାଗି ଆମକୁ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ୫୦ କୋଟିରୁ ଅଧିକ ବ୍ୟୟ ଅଟକଳ ଥିବା ୪୮ ଗୋଟି ଜାତୀୟ ରାଜପଥର ଅଗ୍ରଗତି ନେଇ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ଦେବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ରାଜ୍ୟରେ ଅନେକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ ଆଗକୁ ଆହୁରି ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ ଇଂଜିନିୟରମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ୧୭୨୧ କୋଟି ମୂଲ୍ୟର ୪୯ଟି ପ୍ରକଳ୍ପ ନିକଟରେ ଶେଷ ହୋଇଛି, ଯାହା ଖୁବ୍‌ଶୀଘ୍ର ଲୋକାର୍ପିତ ହେବ । ସେହିପରି ୧୨୧୦୨ କୋଟି ମୂଲ୍ୟର ୪୭ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ଖୁବ୍‌ଶୀଘ୍ର ସ୍ଥାପନ ହେବାକୁ ଯାଉଛି ବୋଲି ସେ ପ୍ରକାଶ କରିଥିଲେ ।

ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ, ୟୁଟିଲିଟି ସିଫ୍‌ଟିଂ, ସଠିକ୍‌ ପ୍ଲାନିଂ ଓ ଡିଜାଇନ୍‌ ସହ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ପାଇଁ ଆମକୁ ଅଧିକ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ ।

ଆଜିର ବୈଠକରେ ୩୦ଟି ଚାଲୁ ରହିଥିବା ପ୍ରକଳ୍ପ, ୧୪ଟି କାର୍ଯ୍ୟାଦେଶ ହେବାକୁ ଥିବା ପ୍ରକଳ୍ପ ଏବଂ ୪ଟି ଟେଣ୍ଡର ପ୍ରକ୍ରିୟାରେ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା । ଏଥି ମଧ୍ୟରେ ଭଞ୍ଜନଗରରୁ ଆସ୍କା ରୋଡ୍‌, ରିଆମାଳ ବାଇପାସ୍‌ ରୋଡ୍‌, ବ୍ରହ୍ମପୁର ବାଇପାସ୍‌, ଖରିଆର ରୋଡ୍‌ ଆରଓବି, ପୁରୀ-ମାଟିଆପଡ଼ା ଆର୍‌ଓବି, ନୟାଗଡ଼ ବାଇପାସ୍‌, କେସିଙ୍ଗା ଆର୍‌ଓବି, ମାଲକାନଗିରି-ମୋଟୁ ରାସ୍ତାରେ ଥିବା ହାଇଲେବୁଲ୍‌ ବ୍ରିଜ, କନ୍ଦରପୁର-ବାଲିକୁଦା ରାସ୍ତା, କୋଟପାଡ଼ ବାଇପାସ ରାସ୍ତା, କୁଆଖିଆ-ମଙ୍ଗଳପୁର ରାସ୍ତା, ଟିଟିଲାଗଡ଼ ବାଇପାସ୍‌ ରାସ୍ତା, ବୈତରଣୀ ନଦୀରେ ହାଇଲେବୁଲ୍‌ ବ୍ରିଜ, ନବରଙ୍ଗପୁର ବାଇପାସ, ତେଲ ନଦୀରେ ହାଇଲେବୁଲ୍‌ ବ୍ରିଜ, ଝାରସୁଗୁଡ଼ା ବାଇପାସ ରାସ୍ତା, ରାଇରଙ୍ଗପୁର ବାଇପାସ୍‌, ଦଶପଲ୍ଲା ବାଇପାସ୍‌ ଆଦି ଚାଲୁଥିବା ପ୍ରକଳ୍ପ ରହିଥିଲା । ଏଥି ସହିତ କାର୍ଯ୍ୟାଦେଶ ହେବାକୁ ଥିବା ଏବଂ ଟେଣ୍ଡର ପ୍ରକ୍ରିୟାରେ ଥିବା ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପୂର୍ତ୍ତ ବିଭାଗର ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଏଲ୍‌.କେ. ପାଢ଼ୀ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ-୧ ଇଂ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ-୨ ଇଂ ଦୀପକ କୁମାର ପାଣିଗ୍ରାହୀଙ୍କ ସମେତ ବିଦୁ୍ୟତ ବିଭାଗ, ଓପିଟିସିଏଲ୍‌, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀ, ବିଭିନ୍ନ ଜୋନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *