କଟକ,୩୧/୦୫/୨୦୨୬(ଓଡ଼ିଶା ସମାଚାର)- ବସ୍ ଭଡା ନ ବଢିଲେ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଚେତାବନୀ ଦିଆଯାଇଛି । ଡିଜେଲ ସହ ବସ୍ ବ୍ୟବସାୟରେ ଆନୁଷଙ୍ଗିକ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି । ଏହାସହ ବୀମା ଓ ଟିକସ ମଧ୍ୟ ବଢିଛି । ଏଭଳି ପରିସ୍ଥିତିରେ ସର୍ବନିମ୍ନ ବସ୍ ଭଡା ବୃଦ୍ଧି ନ ହେଲେ ଯାତ୍ରୀ ପରିବହନ ବ୍ୟବସାୟ କରିବା ଅସମ୍ଭବ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କଟକରେ ଆୟୋଜିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଏହିଭଳି ନିଷ୍ପତିି ନିଆଯାଇଛି ।
ଅଟୋମେଟିକ୍ ମେକାନିଜିମ୍ ମାଧ୍ୟମରେ ଡିଜେଲ ଦର ବଢିଲେ ବା କମିଲେ ବସ୍ ଭଡା ସଂଶୋଧନ ହେଉଥିଲା । କିନ୍ତୁ ଏବେ ନିୟମିତ ବ୍ୟବଧାନରେ ଡିଜେଲ ଦର ବଢିଚାଲିଥିବା ବେଳେ ସେହି ଅନୁପାତରେ ବସ୍ ଭଡା ବୃଦ୍ଧି କରାଯାଇନଥିବା ବସ୍ ମାଲିକ ସଂଘ କହିଛି । ଏହାସହ ବସ୍ ଚେସିସ୍, ଟାୟାର, ଲୁବ୍ରିକାଂଟ ଦର ସହ ବୀମା ଓ ଟିକସ୍ ମଧ୍ୟ ଗତ ୧୦ ବର୍ଷ ଭିତରେ ବହୁ ମାତ୍ରାରେ ବଢିଛି । ମାତ୍ର ଗତ ୧୦ ବର୍ଷ ହେବ ଅଟୋମେଟିକ ମେକାନିଜିମରେ ସେ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତେଣୁ ଡିଜେଲ ଦର ବୃଦ୍ଧି ସହ ଯାତ୍ରୀ ପରିବହନରେ ଆନୁଷଙ୍ଗିକ ଜିନିଷର ଦର ବୃଦ୍ଧିକୁ ନେଇ ବସ୍ ଭଡା ବଢାଇବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଯଦି ସରକାର ୧୦ ଦିନ ଭିତରେ କୌଣସି ନିଷ୍ପତିି ନ ନିଅନ୍ତି, ତେବେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରିବା ପାଇଁ ସଂଘ ବାଧ୍ୟ ହେବ ବୋଲି କହିଛି । ସେପଟେ ରାଜ୍ୟ ସରକାର କେବଳ ଯଦି ଡିଜେଲ ଉପରୁ ଭାଟ୍ ବା ଭ୍ୟାଲୁ ଆଡେଡ୍ ଟିକସ ଛାଡ କରିଦିଅନ୍ତି, ତେବେ ବସ୍ ଧର୍ମଘଟ ହେବ ନାହିଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏବେ ରାଜ୍ୟ ସରକାର ଡିଜେଲ ଉପରେ ୧୨ରୁ ୧୮ପ୍ରତିଶତ ଭାଟ୍ ନେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ , ଏବେ ସାଧାରଣ ଘରୋଇ ବସ୍ ରେ ସର୍ବନିମ୍ନ କିଲୋମିଟର ପିଛା ଭଡା ୯୦ପଇସା ଥିବା ବେଳେ, କିଲୋମିଟର ପିଛା ସର୍ବାଧିକ ଭଡା ୨ଟଙ୍କା ୪୭ପଇସା ରହିଛି ।
