କଂଗ୍ରେସ ନେତା ଭବାନୀ ଶଙ୍କର ମହାପାତ୍ର ଙ୍କ ଅକାଳ ବିୟୋଗ 

ଭୁବନ ୨୨/୦୪/୨୦୨୬ (ଓଡ଼ିଶା ସମାଚାର)-କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭବାନୀ ଶଙ୍କର ମହାପାତ୍ର (୪୮) ଙ୍କ ର ଗତକାଲି ମଧ୍ୟ ରାତ୍ରରେ ଭୁବନେଶ୍ୱର ସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ଅକାଳ ବିୟୋଗ ହୋଇଯାଇଛି। ଭବାନୀ ଶଙ୍କର ଓରଫ ଟିକି ଗତ କିଛି ମାସ ହେଲା ଦୁରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ବୁଧବାର ସକାଳେ ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଗଭୀର ଶୋକର ଛାୟା ଖେଳିଯାଇଥିଲା । ସକାଳ ୯ ଘଟିକା ସମୟରେ ତାଙ୍କ ମର ଶରୀର କାମାକ୍ଷାନଗରରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଦିନ ୧୧ ଘଟିକା ସମୟରେ ଭୁବନରେ ପହଞ୍ଚିବା ପରେ କଂଗ୍ରେସ ଦଳ ତରଫରୁ ତାଙ୍କ ମର ଶରୀର ଉପରେ ଭାରତୀୟ ଜାତୀୟ କଂଗ୍ରେସ ପତାକା ଘୋଡ଼ାଇ ଦିଆଯାଇ ଶେଷ ସମ୍ମାନ ଦିଆଯିବା ସହ ବିଧାୟକ ପ୍ରାର୍ଥୀ ବିପ୍ରବର ସାହୁ,ଭଗବତ ନାୟକ, ପ୍ରବାଳକାନ୍ତି ସାହୁ,ଦିଲ୍ଲୀପ କୁମାର ଦାସ,ମନୋଜ କୁମାର ସାହୁ,ବିନୋଦ ମହାରଣା,ବଳରାମ ପୃଷ୍ଟି ,ଶ୍ୱେତକେତୁ ମିଶ୍ର,ସନ୍ତୋଷ ବିହାରୀ,ସୁଶାନ୍ତ ପୃଷ୍ଟି,ଅମ୍ବୁଜ ପୋଥାଳ,ରାଜ କିଶୋର ପୋଥାଳ,ଅର୍ଜୁନ ବାରିକ,ଧର୍ମାନନ୍ଦ ପୃଷ୍ଟି,ସୁଶାନ୍ତ ପୋଥାଳ,ଦେବାନନ୍ଦ ସାହୁ,କାମାକ୍ଷା ପ୍ରସାଦ ପଣ୍ଡା,ପ୍ରଭୁଦତ୍ତ ଭଟ୍ଟ,ପ୍ରମୁଖ ଶହ ଶହ କଂଗ୍ରେସ କର୍ମୀ ଙ୍କ ଗହଣରେ ସହର ପରିକ୍ରମା କରାଯାଇଥିଲା । “ଭବାନୀ ଭାଇ ଅମର ରହେ,ଟିକି ଭାଇ ଅମର ରହେ” ସ୍ଲୋଗାନ ଦିଆଯାଇଥିଲା । ପରେ ତାଙ୍କ ପୈତୃକ ଗ୍ରାମ ଭୁବନ ବ୍ଲକର ପଳାସପିଠିଆ ଗୋଡା କୁ ନିଆଯାଇଥିଲା ।

ବିଧାୟକ ଶତ୍ରୁଘ୍ନ ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ସରପଞ୍ଚ ତପନ କୁଅଁର ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶତାଧିକ ଶୁଭେଚ୍ଛୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା । କାମାକ୍ଷାନଗର ର ଲୋକପ୍ରିୟ ବିଧାୟକ ସ୍ୱର୍ଗତ କୈଳାସ ଚନ୍ଦ୍ର ମହାପାତ୍ର ଙ୍କ ସୁପୁତ୍ର ଭବାନୀ ଶଙ୍କର ( ଟିକି) ଗତ ୨୦୧୪ ଓ ୨୦୧୯ ରେ କାମାକ୍ଷାନଗର ରୁ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ନାଗରପାଳ ଶୁଭେନ୍ଦୁ କୁମାର ସାହୁ ଗଭୀର ଶୋକ ପ୍ରକାଶ କରି ଟିକି ଜଣେ ନିସ୍ୱାର୍ଥପର,ନିଷ୍କଳଙ୍କ, ନିର୍ବିବାଦୀୟ ଓ ଦରଦୀ ମଣିଷ ଥିଲେ । ଟିକି ଙ୍କ ବିୟୋଗ କାମାକ୍ଷାନଗରରେ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି ଘଟିଲା ବୋଲି ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ଜଣେ ଅତ୍ୟନ୍ତ ଶାନ୍ତ, ସରଳ, ଅମାୟିକ, ସ୍ନେହୀ ,ଦୟାଳୁ ଓ ପରୋପକାରୀ ଯୁବ ନେତା ଭାବେ ପରିଚିତ ସ୍ବର୍ଗତ ଟିକି ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *