କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଜିଲାର ୩୩କନ୍ୟାଙ୍କ ସାମୁହିକ ବିବାହ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୨୧/୦୪/୨୦୨୬ (ଓଡ଼ିଶା ସମାଚାର)-ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧିନରେ ଆଜି କେନ୍ଦ୍ରାପଡ଼ା ଜିଲାରେ ଏକ ଜିଲାସ୍ତରୀୟ ସାମୁହିକ ବିବାହ ଆୟୋଜିତ ହୋଇଛି । କେନ୍ଦ୍ରାପଡ଼ା ସହରସ୍ଥିତ ସାନ୍ତସାହି ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ମୋଟ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହିତ ସମ୍ପନ୍ନ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଏହି ୩୩ ଜଣ କନ୍ୟାଙ୍କ ମଧ୍ୟରୁ ୨ ଜଣ ଇସଲାମ ଧର୍ମାବଲମ୍ବୀ ହୋଇଥିବାରୁ ସମାଜର ସମାନତା, ସାମ୍ପ୍ରଦାୟିକ ସମ୍ମିଳନ ଓ ସାମାଜିକ ସଂହତିର ଏକ ସୁନ୍ଦର ଉଦାହରଣ ପ୍ରତିଷ୍ଠିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର ଓ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ନିଜେ ଦୁଇ ଜଣ କନ୍ୟାଙ୍କ ବାପାର ଭୂମିକା ଗ୍ରହଣ କରି କନ୍ୟାଦାନ କରିଥିବାରୁ ସମାଜ ପାଇଁ ଏକ ଉକôୃଷ୍ଟ ଓ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି ହୋଇଛି । ଏହି ଯୋଜନାର ମୂଳ ମନ୍ତ୍ର “ସମ୍ମାନ ସହ ବିବାହ, ସୁରକ୍ଷିତ ଭବିଷ୍ୟତ”କୁ ସାର୍ଥକ କରିବା ସହିତ ଏହା ଅର୍ଥନୈତିକ ଭାବେ ଦୁର୍ବଳ ପରିବାରମାନଙ୍କୁ ସହାୟତା ଯୋଗାଇ ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାରକୁ ସୁନିଶ୍ଚିତ କରୁଛି । ରାଜ୍ୟସ୍ତରରେ ଆଜି କେନ୍ଦ୍ରାପଡ଼ା ସହିତ ମୋଟ ୨୭ଟି ଜିଲାରେ ୧,୦୦୦ ରୁ ଅଧିକ କନ୍ୟାଙ୍କ ସାମୁହିକ ବିବାହ ସଫଳତାର ସହ ଆୟୋଜିତ ହୋଇଥିବା ସୂଚନା ମିଳିଛି ।

ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅର୍ବାନ ବ୍ୟାଙ୍କ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ, ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ପ୍ରତିନିଧି ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥôକ ସହାୟତା ନୁହେଁ, ବରଂ ସାମାଜିକ ସୁରକ୍ଷା ଓ ନାରୀ ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ।

ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥାକୁ ରୋକିବା ସହିତ ସମାଜକୁ ସ୍ପଷ୍ଟ ବାର୍ତା ଦେଉଛି ଯେ ଝିଅମାନେ ପରିବାର ପାଇଁ ବୋଝ ନୁହନ୍ତି । ସେମାନେ ଆମ ପରିବାର ପାଇଁ ଆଶୀର୍ବାଦ । ଏହି ଯୋଜନା ଅଧିନରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ସେଥିରୁ ୪୫,୦୦୦ ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଥିବା ବେଳେ ବାକି ୧୫,୦୦୦ ବିବାହ ସମ୍ପାଦନ ଖର୍ଚ୍ଚ ପାଇଁ ବ୍ୟୟ କରାଯାଉଛି । ଯୋଗ୍ୟତା ଅନୁଯାୟୀ କନ୍ୟାଙ୍କ ବୟସ ୧୮ ରୁ ୩୫ ବର୍ଷ ଓ ବରଙ୍କ ବୟସ ୨୧ ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।

ବିଧବା ପୁନଃବିବାହ, ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତିଙ୍କୁ ପ୍ରାଥମିକତା ଦିଆଯାଉଛି । ସାମୁହିକ ବିବାହ କାର୍ଯ୍ୟକ୍ରମରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ସମସ୍ତ ଦମ୍ପତିଙ୍କୁ କିଟ୍ ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜିକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି । ଜିଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସମନ୍ୱିତ ପ୍ରୟାସରେ ସମସ୍ତ ବ୍ୟବସ୍ଥା ସୁଚାରୁ ଭାବେ କରାଯାଇଥିଲା । ଆଗାମୀ ଦିନରେ ଜିଲାର ବିଭିନ୍ନ ବ୍ଲକରେ ଏପରି ସାମୁହିକ ବିବାହ ଆୟୋଜନ କରାଯିବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାର ସମ୍ପୂର୍ଣ୍ଣ ଲାଭ ପହଂଚାଇବା ପାଇଁ ଜିଲା ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି ।

Leave a Reply

Your email address will not be published. Required fields are marked *