କଟକ ସଦର,୧୯/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଚୈ।ଦ୍ୱାର ମଣ୍ଡଳ କାରାଗାରରେ ଜନୈକ ବିଚାରାଧୀନ ମହିଳା ବନ୍ଦୀଙ୍କ ସୁନା ଗହଣା ଗାଏବ ଘଟଣାର ୪ ମାସ ପରେ ଚୈ।ଦ୍ୱାର ଥାନା ପୋଲିସ ଜନୈକ ୱ।ର୍ଡରଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣାପଡିଛି। ପ୍ରକାଶ ଯେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ଦାସ ଏକ ମାମଲାରେ ଗିରଫ ହୋଇ ୨୦୨୫ ସେପ୍ଟେମ୍ବର ୨୩ ରେ ସାଲେପୁର ଜେଲରୁ ଚୈ।ଦ୍ୱାର ଜେଲ୍ କୁ ସ୍ଥାନାନ୍ତରିତ ହୋଇଥିଲେ। ଜେଲ୍ ନିୟମ ଅନୁସାରେ ଏଵଂ ଜେଲ୍ କର୍ମଚାରୀଙ୍କ କହିବା ଅନୁଯାୟୀ ମହିଳା ଜଣକ ୬ ଗ୍ରାମର ସୁନା କାନଫୁଲ,୮ ଗ୍ରାମର ସୁନା ମୁଦି ଓ ନାକ ଫୁଲ କାଢ଼ି ୱ।ର୍ଡର୍ ଙ୍କ ଜିମା ଦେଇଥିଲେ।
ହେଲେ ତିନି ମାସ ଜେଲରେ ରହିଵା ପରେ ଇତିଶ୍ରୀ ୨୦୨୫ ଡିସେମ୍ବର ୨୩ ରେ ଜାମିନ ପାଇ ମୁକୁଳି ଥିଲେ। ଜେଲରୁ ବାହାରିବା ପରେ ତାଙ୍କର ସୁନା ଅଳଙ୍କାର ମାଗିବାରୁ ତାହା ମିଳୁନାହିଁ ଆଉ ଦୁଇ ଚାରି ଦିନ ପରେ ଆସି ନେଇ ଯିବାକୁ ତାଙ୍କୁ କୁହାଯାଇଥିଲା। ହେଲେ ଅନେକ ଥର ଜେଲକୁ ଯିବା ପରେ ମଧ୍ୟ ତାଙ୍କୁ ସୁନା ଅଳଙ୍କାର ଦିଆଯାଇ ନଥିଲା। ଏଥିପାଇଁ ବାଧ୍ୟହୋଇ ଇତିଶ୍ରୀ ଫେବୃଆରୀ ୮ ତାରିଖରେ ଚୈ।ଦ୍ୱାର ଥାନାରେ ଏତଲା ଦେଇଥିଲେ। ଏହାର କିଛିଦିନ ପରେ ଜେଲ୍ ଅଧିକ୍ଷକ ସୁଜିତ୍ କୁମାର ରାଉଳ ଅଭିଯୋଗ କାରିଣୀ ଇତିଶ୍ରୀ ଦାସ ଙ୍କୁ ଡକାଇ ଗହଣା ବାବଦକୁ ୧ ଲକ୍ଷ ୯୦ ହଜାର ଟଙ୍କା ଦେଇ ମାମଲାର ରଫାଦଫା କରିଦେଇଥିଲେ। ଯାହାକୁ ନେଇ ସେତେବେଳେ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିଲା ବେଳେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ଏ ସମ୍ପର୍କରେ ଗତ ଫେବୃଆରୀ ୨୦ ତାରିଖରେ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଏଥିପାଇଁ ଉକ୍ତ ସମ୍ବେଦନଶୀଳ ଘଟଣାର ତଦନ୍ତ ଓ ସିସିଟିଭି ଫୁଟେଜ ଯାଞ୍ଚ କରି ମୁଖ୍ୟ ଅଭିଯୁକ୍ତ ଜେଲ୍ ୱ।ର୍ଡର୍ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଵାଘସାହିର ମନୋଜ କୁମାର ମଣ୍ଡଳକୁ ଚୈ।ଦ୍ୱାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସେହି ଜେଲ୍ କୁ ପଠାଇ ଦିଆଯାଇଥିବା ଜଣାପଡିଛି।
