କୃଷିଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପ୍ରାଣିପାଳନ ଓଡ଼ିଶାର ବିକାଶକୁ ନୂତନ ଶିଖରକୁ ପହଂଚାଇବ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର,୧୭/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସ୍ଥାନୀୟ କୃଷିଭବନ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟରେ ଗୋପାଳନ, କୁକୁଡ଼ା ଓ ଛେଳିମେଣ୍ଢା ପାଳନ ଆଦି ମାଧ୍ୟମରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଏବଂ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ବୈଠକର  ଅଧ୍ୟକ୍ଷତା କରି ଉପସ୍ଥିତ ପ୍ରାଣିଚିକିତ୍ସା ଅଧିକାରୀମାନଙ୍କୁ ସେବା ମନୋଭାବ ରଖି ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା— ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, ‘ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା’, ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’, ‘ଗୋମାତା ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଆଗାମୀ ୨୦୨୯ ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଅଧୀନରେ ଗାଈ ଓ ମଇଁଷି ପାଳନ ପାଇଁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଯୁଗାନ୍ତକାରୀ ଯୋଜନାର ସୁଫଳ ଯେପରି ଅଧିକରୁ ଅଧିକ ଗୋପାଳକଙ୍କ ନିକଟରେ ପହଞ୍ଚିପାରିବ, ତାହା ନିଶ୍ଚିତ କରିବାକୁ ମନ୍ତ୍ରୀ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରଏଲର ଓ ଲେୟର କୁକୁଡ଼ା ପାଳନ ସହିତ ଘୁଷୁରି ଏବଂ ଛେଳିମେଣ୍ଢା ପାଳନ ଉପରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଛି । ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ଲେୟର କୁକୁଡ଼ା ଚାଷ ଉପରେ ଅଧିକ ପ୍ରାଧାନ୍ୟ ଦେବାକୁ ବୈଠକରେ ମତପ୍ରକାଶ ପାଇଛି । ଏଥିସହିତ ‘ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ମାଧ୍ୟମରେ ଅଧିକରୁ ଅଧିକ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ନୂତନ ଗୋଶାଳା ପ୍ରତିଷ୍ଠା କରିବା ସହ ପଞ୍ଜୀକୃତ ଗୋଶାଳାଗୁଡ଼ିକୁ ଆର୍ଥିକ ଅନୁଦାନ ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ବୁଲା ଗୋରୁଗାଈଙ୍କ ନିମନ୍ତେ ଅଧିକରୁ ଅଧିକ ସୁରକ୍ଷିତ ଆଶ୍ରୟସ୍ଥଳ ନିର୍ମାଣ କରି ଏକ ଉଦାହରଣ ସୃଷ୍ଟି କରିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଉପସ୍ଥିତ ପ୍ରାଣିଚିକିତ୍ସା ଅଧିକାରୀମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୂରଦର୍ଶୀ ‘ଭିଜନ- ୨୦୩୬’ ସମ୍ପର୍କରେ ଆଲୋକପାତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଅଣ୍ଡା, ଦୁଗ୍ଧ ଏବଂ ମାଂସ ଉତ୍ପାଦନ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଲକ୍ଷ୍ୟ ହାସଲ ହେଲେ ଓଡ଼ିଶା ଦେଶର ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ସହିତ ଦୁଗ୍ଧ ଓ ମାଂସ ଉତ୍ପାଦନ ବର୍ତ୍ତମାନ ତୁଳନାରେ ପ୍ରାୟ ୪ ଗୁଣ ବୃଦ୍ଧି ପାଇବ। ଏହି ବୃହତ ସଫଳତା ପାଇଁ ରାଜ୍ୟର ସମସ୍ତ ପ୍ରାଣିଚିକିତ୍ସା ଅଧିକାରୀ ସମର୍ପିତ ଓ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମାନ୍ୟବର ମନ୍ତ୍ରୀ କହିଥିଲେ ଯେ,” ‘ଅନ୍ତର୍ଭୁକ୍ତିକରଣ ବିକାଶ’ ହିଁ ପ୍ରକୃତ ପ୍ରଗତିର ମାପକାଠି। ସମାଜର ଶେଷ ମୁଣ୍ଡରେ ଥିବା ହିତାଧିକାରୀଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସହ ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ପ୍ରାଣିଚିକିତ୍ସା ଅଧିକାରୀମାନେ ଅଧିକ ତତ୍ପରତା ଓ ଉତ୍ସାହର ସହ କାର୍ଯ୍ୟ କରିବା ଆବଶ୍ୟକ”।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧରୀ ଉପସ୍ଥିତ ଅଧିକାରୀମାନଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ । ବୈଠକର ପ୍ରାରମ୍ଭରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାର ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମେତ ବିଭାଗ ଓ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *