ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ରାଜ୍ୟରେ ବ୍ୟାପକ ସଡ଼କ ସଂଯୋଗୀକରଣ ସଂପର୍କିତ  ଯୋଜନା ଉପସ୍ଥାପିତ

କୋରାପୁଟ ଜିଲ୍ଲାର ବିକାଶ ପାଇଁ ପ୍ରମୁଖ ୨୫ ପଦକ୍ଷେପ ସଂପର୍କରେ  ଜିଲ୍ଲାପାଳଙ୍କ ଉପସ୍ଥାପନା

ଭୁବନେଶ୍ୱର,୧୫/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,  ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ଏଥି ସହିତ ପ୍ରଶିକ୍ଷଣ ନେଉଥିବା ୨୦୨୪ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ପ୍ରୋବେଶନରମାନେ ମଧ୍ୟ ଅଭିଜ୍ଞତା ଅର୍ଜନ ପାଇଁ ବୈଠକରେ ଯୋଗଦେଇଥିଲେ ।  ବୈଠକରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥାପନା ରଖିଥିଲେ ।

 ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ମାର୍ଚ୍ଚ ମାସରେ ବିଭିନ୍ନ ବିଭାଗର ଉଲ୍କେଖନୀୟ କାର୍ଯ୍ୟ ଓ ପ୍ରମୁଖ ପଦକ୍ଷେପ ଗୁଡ଼ିକ ସଂପର୍କରେ ଉଲ୍ଲେଖ କରିଥିଲେ ।  ଇଣ୍ଡିଆ ସ୍କିଲ୍ସ-୨୦୨୫-୨୬ ପ୍ରତିଯୋଗିତାରେ ଓଡ଼ିଶାର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦକ୍ଷତା ବିକାଶ ବିଭାଗର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ର“ଗଣତି-ମଣତି” କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସଂପୃକ୍ତ ସମସ୍ତଙ୍କୁ ପ୍ରଶଂସା କରାଯାଇଥିଲା । ଏଥି ସହ“ଆମେ ଜାଣିବା ଆମ ବଜେଟ୍” କାର୍ଯ୍ୟକ୍ରମରେ ବଜେଟ୍ ସଂପର୍କିତ ସୂଚନାର ପ୍ରଚାର  ପ୍ରସାର ଓ ଏ ସଂପର୍କରେ ଆଗକୁ କାର୍ଯ୍ୟକ୍ରମ ଜାରି ରହିବା ନେଇ ଆଲୋଚନା କରାଯାଇଥିଲା ।  ଅର୍ଥ ଏବଂ ସୂଚନା ଓ ଲୋକ ସଂପର୍କ  ବିଭାଗର ପ୍ରୟାସକୁ ଏଥିପାଇଁ ପ୍ରଶଂସା କରାଯାଇଥିଲା ।

ଆଇ-ଗଟ୍ କର୍ମଯୋଗୀ ଭାରତ ପ୍ଲାଟଫର୍ମରେ  “ସାଧନାସପ୍ତାହ” ବିଶେଷ ଦକ୍ଷତା ବିକାଶପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅଧିକାରୀ ଓ କର୍ମଚାରୀମାନେ ଏହି ବ୍ୟବସ୍ଥାକୁ ଆସି  ପ୍ରଶିକ୍ଷଣ ନେବା(ଅନ୍ ବୋର୍ଡିଂ)୯୫ ପ୍ରତିଶତରୁ ୯୮ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବ୍ୟବସ୍ଥାରେ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟାଉଲ୍ଲେଖନୀୟ ଭାବେ ବଢ଼ିଥିବାରୁ ମୁଖ୍ୟ ସଚିବ  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରୟାସକୁ ପ୍ରଶଂସା କରିଥିଲେ।“ଓଡ଼ିଆପକ୍ଷ ”ରାଜ୍ୟବ୍ୟାପୀ  ବ୍ୟାପକଭାବେ ପାଳନ କରାଯାଇଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସଂପୃକ୍ତ ଅନ୍ୟ ସମସ୍ତ ବିଭାଗର ସହଯୋଗକୁ ପ୍ରଶଂସାକରାଯାଇଥିଲା ।       ବୈଠକରେ ଆଗାମୀ ଦିନରେ “ଉପଲବ୍ଧି ପୋର୍ଟାଲ” କାର୍ଯ୍ୟକାରୀ ହେବା ନେଇ  ସିଏମଜିଆଇ ତରଫରୁ ଡିଜାଇନ୍ ଉପସ୍ଥାପିତ ହୋଇଥିଲା। ଏହି ପୋର୍ଟାଲରେ ବିଭିନ୍ନବିଭାଗର ପ୍ରତିମାସରେ  ଉଲ୍ଲେଖନୀୟ କାର୍ଯ୍ୟ, ପ୍ରଗତି ଓ ସଫଳତା ଅପଲୋଡ କରାଯିବ ଏବଂ ବିଭାଗମାନଙ୍କ ସମେତ  ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ମଧ୍ୟ ତାହା  ଅନୁଧ୍ୟାନ କରାଯିବା ସହଜ ହୋଇପାରିବ ।

 ଅର୍ଥବିଭାଗ ତରଫରୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର ଯୋଗଦେଇ ରାଜ୍ୟ ମାନଙ୍କୁ ପୁଞ୍ଜି ନିବେଶ ପାଇଁ ସହାୟତା ପ୍ରଦାନ କରୁଥିବା କେନ୍ଦ୍ରୀୟ ଅନୁଦାନ(ଏସଏଏସସିଆଇ) ର ଉପଯୋଗ ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା।ଏହାସହ ପୂର୍ତ୍ତ ବିଭିଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୂର୍ତ୍ତ ବିଭାଗର୨୫ଟି ପ୍ରମୁଖ ପ୍ରକଳ୍ପ ଓ ପଦକ୍ଷେପ ବିଷୟରେ ବିସ୍ତୃତ ଉପସ୍ଥାପନା କରିଥିଲେ। ରାଜ୍ୟରେ ସଡକ ନେଟୱର୍କର ଉନ୍ନତି ପାଇଁ ରହିଥିବା ଦୀର୍ଘସୂତ୍ରୀ ଯୋଜନା ବିଷୟରେ ସେ ଉପସ୍ଥାପନା କରିଥିଲେ ।  ଏହା ରାଜ୍ୟର ଗମନା ଗମନ ସହ ପର୍ଯ୍ୟଟନ ସୁଯୋଗକୁ ବ୍ୟାପକ କରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ପ୍ରତି ଜିଲ୍ଲାରେ ୨୫ଟି ଜିଲ୍ଲା ସ୍ତରୀୟ ପ୍ରମୁଖ ପଦକ୍ଷେପ ପ୍ରସ୍ତୁତି ସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ “ବିକଶିତ ଓଡ଼ିଶା” ସହ ସମନ୍ୱୟ କରି ଏକ ଉପସ୍ଥାପନା ରଖିଥିଲେ ।  “କୋରାପୁଟ ସ୍ପାର୍କ୍ସଏକ୍ସ”ଉପରେ ଉପସ୍ଥାପନା କରି ସେ ଅଭିନବତ୍ୱ ପ୍ରତିପାଦନ, ପ୍ରତିଷ୍ଠାନଗତ ଉନ୍ନତି ଓ ଜିଲ୍ଲାର ସ୍ଥାୟୀବିକାଶ ସଂପର୍କରେ ସେ ଆଲୋକପାତ କରିଥିଲେ। ଜିଲ୍ଲାର ଜୀବିକା ନିର୍ବାହ , କୃଷି ଓ ପ୍ରାଣୀ ପାଳନ, ମସଲା, ମତ୍ସ୍ୟଚାଷ, ଫୁଲହବ୍, ବୟନ ଶିଳ୍ପ, ବିମାନ ବନ୍ଦରର ବିକାଶ, ମେଗା ପାନୀୟ ଜଳ ପ୍ରକଳ୍ପ,ପର୍ଯ୍ୟଟନ, ସେତୁ ଓ ସଡକ ନିର୍ମାଣ ଭଳି କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିବା ସହ “ପରବ” ଲୋକପର୍ବ ମାଧ୍ୟମରେ କୋରାପୁଟ ଜିଲ୍ଲାର ବିକାଶକୁ ଉଲ୍ଲେଖ କରାଯାଇଥିଲା। ଜିଲ୍ଲାରେ ଶିଳ୍ପର ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *