— ଉତ୍ତମ ମାନର ଗୁଣାତ୍ମକ ସେବା ପାଇବେ ରୋଗୀ
ଯାଜପୁର,୧୦/୦୪/୨୬(ଓଡ଼ିଶା ସମାଚାର)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ରୋଗୀଙ୍କ ସୁବିଧା ପାଇଁ ନବନିର୍ମିତ ଦେୟ କ୍ୟାବିନ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି। ଯାଜପୁର ସହର ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ତେଣୁ ଗୁଣାତ୍ମକ ଡାକ୍ତରୀ ସେବା ଏବଂ ରୋଗୀଙ୍କ ସୁବିଧା ପାଇଁ ଏଠାରେ ୭ ଟି ସିଙ୍ଗଲ କ୍ୟାବିନ ଏବଂ ୩ ଟି ଟ୍ୱିନ ଫ୍ୟାସିଲିଟି ପେ-କ୍ୟାବିନ ବା ଦେୟ କ୍ୟାବିନ ବ୍ୟବସ୍ଥା ଆରମ୍ଭ ହୋଇଛି।

ପ୍ରତ୍ୟେକ କ୍ୟାବିନ ପିଛା ୧୫୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ କ୍ୟାବିନ କକ୍ଷରେ ଦୁଇ ରୁ ତିନିଟି ଶଯ୍ୟା ସହ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଟେଲିଭିଜନ , ଫ୍ୟାନ, ଆଲୋକ ବ୍ୟବସ୍ଥା ସହ ଶୌଚାଳୟ ଆଦି ସୁବିଧା ରହିଛି। ଏହାସହ ପେସେଣ୍ଟ କଲିଂ ସିଷ୍ଟମ ମଧ୍ୟ ସ୍ଥାପନ କରାଯାଇଛି। କ୍ୟାବିନ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ କର୍ମଚାରୀ ନିୟୋଜିତ ହେବେ। ଉଦଘାଟନ ପରେ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କହିଥିଲେ ଯେ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେୟ କ୍ୟାବିନ ଉପଲବ୍ଧ ନଥିବା ଯୋଗୁଁ ଅନେକ ଅଭିଯୋଗ ଆସୁଥିଲା।
ବର୍ତ୍ତମାନ ନୂତନ କ୍ୟାବିନ ଲୋକାର୍ପିତ ହେବା ପରେ ଏହି ସମସ୍ୟା ଦୂର ହେବ। ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଉତ୍ତମ ମାନର ସେବା ପାଇପାରିବେ ବୋଲି ସାଂସଦ କହିଥିଲେ।ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଥିଲେ ଯେ ବିଶେଷ କରି ଆଇସିୟୁରୁ ବାହାରୁଥିବା ରୋଗୀ ଏବଂ ସ୍ୱତନ୍ତ୍ର ଡାକ୍ତରୀ ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ କ୍ୟାବିନର ଡିମାଣ୍ଡ ଥିଲା। ତାହା ଏବେ ପୂରଣ ହେବ। ରୋଗୀଙ୍କ ବୃଦ୍ଧି ସହ ଆଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ବ୍ୟବସ୍ଥା କରାଯିବ।
ଏହାସହ ଡିସେମ୍ବର ସୁଦ୍ଧା ଜିଲ୍ଲାରେ ଡାଏଲିସିସ ଶଯ୍ୟା ବୃଦ୍ଧି ପାଇଁ ମଧ୍ୟ ଯୋଜନା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ବିଜୟ କୁମାର ମିଶ୍ର, ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ଅଧିକ୍ଷକ ଶ୍ରୀମତୀ ମନୋରମା ସ୍ୱାଇଁ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
