ଜଗତସିଂହପୁର, ୦୪/୦୪/୨୦୨୬ (ଓଡ଼ିଶା ସମାଚାର)- ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଅନୁଯାୟୀ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ଲେଖିବା ବାଧ୍ୟତାମୂଳକ । ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ଖିଲାପକାରୀଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ସହ ଜରିମାନା ଆଦାୟ ଭଳି ଦଣ୍ଡବିଧାନ ରହିଛି । ଏଣୁ ଯେଉଁମାନେ ଏପର୍ଯ୍ୟନ୍ତ ନିଜର ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖି ନାହାନ୍ତି, ସେମାନେ ଯଥାଶୀଘ୍ର ଏଥିପ୍ରତି ଯତ୍ନବାନ ହୋଇ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ନାମଫଳକ ଲେଖି ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ନିଜ ନିଜ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ଲେଖନ୍ତୁ ।

ଏହି କ୍ରମରେ, ଅଦ୍ୟ ତା ୦୪.୦୪.୨୦୨୬ ରିଖ ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଜଗତସିଂହପୁର ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬” ଅନୁଯାୟୀ, ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି ।
ଏଥିସହିତ ଏକ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମହୋଦୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ବାବା ଆନନ୍ଦ ରଞ୍ଜନ ଦାସ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଶିବ ନାରାୟଣ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ(ପ୍ରବର୍ତ୍ତନ), ଶ୍ରୀମତୀ ସ୍ମୃତିରେଖା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ଅର୍ଚିତା ସାହୁ, ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା, ଶ୍ରୀମତୀ ମହାଶ୍ବେତା ସ୍ବାଇଁ, ଶ୍ରୀ ଦେବାଶିଷ ମିଶ୍ର ଓ ଅନ୍ୟ ସମସ୍ତ କର୍ମଚାରୀଗଣ ଏହି ସଚେତନତା ପଦଯାତ୍ରାରେ ଅଂଶ ଗ୍ରହଣ କରି ଜଗତସିଂହପୁର ସହର ପରିକ୍ରମା କରିଥିଲେ ।
