ବାଇକଚାଳକକୁ ଗିରଫ ଦାବିରେ ଶବରଖି ରାସ୍ତାରୋକ
କେନ୍ଦ୍ରାପଡ଼ା,୨୭/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା-ବସପୁର ରାସ୍ତାର କନ୍ତିଆ ଛକରେ ଶୁକ୍ରବାର ପ୍ରାତଃ ପ୍ରାୟ ୫ଟା ବେଳେ ଏକ ଦ୍ରୁତଗାମୀ ବାଇକ ଧକ୍କାରେ ଜଣେ ମହିଳାଙ୍କର ମୃତୁ୍ୟ ହୋଇଯାଇଛି । ଅଭିଯୋଗ ଅନୁଯାୟୀ କୁଦାନଗରୀ ଥାନା ଅନ୍ତର୍ଗତ ମାହାରାକୂଳ ଗ୍ରାମର ଭାଗବତ ଦାସ ଓ ତାଙ୍କ ପତ୍ନୀ ସୁକାନ୍ତି ଦାସ(୫୭) ଦିଆନପାଟଣା (ଆଇତିପୁର)ରୁ ଯାତ୍ରା ଦେଖି ଚାଲି ଚାଲି ଘରକୁ ଫେରୁଥିବା ବେଳେ ଶୁକ୍ରବାର ସକାଳେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ(ୟାମାହା ଏଫଜେଡ ନଂ- ଓଡି-୦୫-ବିଏଫ-୦୩୯୫) ସୁକାନ୍ତିଙ୍କୁ ଜୋରରେ ଧକ୍କା ଦେଇଥିଲା ।
ଫଳରେ ସୁକାନ୍ତି ରାସ୍ତା ଉପରେ ପଡିଯାଇଥିଲେ । ସୁକାନ୍ତିଙ୍କ ମୁଣ୍ଡ ଫଚପଟ ରାସ୍ତାରେ ଜୋରରେ ପିଟିହୋଇଯାଇ ମୁଣ୍ଡ ଓ ନାକରୁ ରକ୍ତସ୍ରାବ ହୋଇଥିଲା । ବାଇକ୍ ଟି ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୁକାନ୍ତିଙ୍କ ସ୍ୱାମୀ ଭାଗବତ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ସେଠାରେ ପହଂଚି ସୁକାନ୍ତିଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ ।
କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସୁକାନ୍ତିଙ୍କ ପୁଅ ଜଗନ କୁମାର ଦାସ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ରାସ୍ତା ଉପରେ ସୁକାନ୍ତିଙ୍କ ଶବ ରଖି ରାସ୍ତାରୋକ କରିଥିଲେ । ପ୍ରାୟ ଅଧଘଂଟା ଧରି ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିମଟର ଗୁଡିକ ଅଟକି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ସଦରଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ ପୋଲିସ ଫୋର୍ସ ସହ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଅଭିଯୁକ୍ତକୁ ୩ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଥିଲା ।
