ରୌପ୍ୟ ଜୟନ୍ତୀ ଅବସରରେ ଲୋକାର୍ପିତ ହେଲା ସ୍ମାରକୀ ସ୍ତମ୍ଭ

ଗାରିମାମୟ ୩୧ ବର୍ଷ: ଧଉଳିରେ ଉନ୍ମୋଚିତ ହେଲା ସ୍ମୃତିର ସ୍ମାରକୀ

ଭୁବନେଶ୍ୱର,୨୦/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଐତିହ୍ୟ ସମ୍ପନ୍ନ ଧଉଳି ପାଦଦେଶରେ ୩୧ ବର୍ଷର ଗୌରବମୟ ଯାତ୍ରାକୁ ପାଳନ କରିବା ପାଇଁ ଧଉଳି ଚାରୁକଳା ମହାବିଦ୍ୟାଳୟ ପ୍ରସ୍ତୁତ କରୁଛି ଏକ ଭବ୍ୟ ମଞ୍ଚ,ଯେଉଁଠି ଆସନ୍ତା ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ରୌପ୍ୟ ଜୟନ୍ତୀ ଉତ୍ସବ ଓ ୭ମ ଅନ୍ତର୍ଜାତୀୟ ଧଉଳି କଳା

ମହୋତ୍ସବ।ଏହି ଅବସରରେ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ,ଶିଳ୍ପୀ ଶିବିର ଓ ଆଲୋଚନା ଚକ୍ର ଆୟୋଜିତ ହେବ।ଦର୍ଶକ ମାନେ ଚିତ୍ର କିଣିବାର ସୁଯୋଗ ମଧ୍ୟ ପାଇବେ। ଏହି ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ  ବରଂ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ମଧ୍ୟରେ ସ୍ମୃତି ଓ ଅନୁଭୂତି ବାଣ୍ଟିବାର ଏକ ମାଧ୍ୟମ ସାଜିବ । ଅନୁଷ୍ଠାନର ଗାରିମାକୁ ଜୀବନ୍ତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ଏକ ସୁଉଚ୍ଚ ସ୍ମାରକୀ ସ୍ତମ୍ଭକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପଞ୍ଚାନନ ସାମଲ ଓ ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ ଲୋକାର୍ପଣ କରିଥିଲେ।

ଏହି ସ୍ମାରକୀ ସ୍ତମ୍ଭ ଆଗାମୀ ଦିନପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଭାସ୍କର୍ଯ୍ୟ କଳା ନୈପୁଣ୍ୟତାର ସ୍ୱାକ୍ଷର ବହନ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଲକ୍ଷ୍ମୀଧର ସ୍ୱାଇଁ,ସୁନୀଲ କୁମାର ମିଶ୍ର ଓ ସ୍ମୃତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *