୧୯୭୮ ବ୍ୟାଚ୍ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଭୁବନେଶ୍ୱର,୦୭/୦୩/୨୦୨୬ (ଓଡ଼ିଶା ସମାଚାର)-ଦୀର୍ଘ ୪୮ ବର୍ଷ ପରେ ଜୟଦେବ ବାଟିକାରେ ୮ ନମ୍ବର ସରକାରୀ ବାଳକ ବିଦ୍ୟାଳୟର ୧୯୭୮ ମସିହା ବ୍ୟାଚର ପୁରାତନ ଛାତ୍ରମାନେ ଏକାଠି ହୋଇଥିଲେ । ସମସ୍ତେ ପରିଣତ ବୟସରେ ପଦାର୍ପଣ କରିଥିବା ୩୫ ଜଣ ପୁରାତନ ଛାତ୍ରମାନେ ଏକାଠି ହୋଇ ନିଜ ଭିତରେ ବାଂଟିଥିଲେ ସ୍ମୃତି ଓ ଅନୁଭୂତି । ସୁଦୂର ଆମେରିକାର ଟେକ୍ସାସ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟରୁ ଆସି ଯୋଗ ଦେଇଥିଲେ ପୁରାତନ ଛାତ୍ର ପ୍ରଫେସର ବିନାୟକ ପ୍ରସାଦ ମହାନ୍ତି । ତାଙ୍କର ଅନୁଭୂତିକୁ ସମସ୍ତଙ୍କ ନିକଟରେ ବର୍ଣ୍ଣନା କରିଥିଲେ । ସମୟ ଯେମିତି ଅଟକି ଯାଇଥିଲା ।

ସମସ୍ତେ ନିଜ ନିଜର ଅନୁଭୂତିକୁ ବର୍ଣ୍ଣନା କରିସାରିବା ପରେ ଭାବପ୍ରବଣତାର ସ୍ରୋତ ଭିତରେ ସମସ୍ତେ ହଜି ଯାଇଥିଲେ । ଜୟଦେବ ବାଟିକାରୁ ଘରକୁ ଫେରିବାକୁ ଯେମିତି କାହାରି ମନ ନଥିଲା । ସମସ୍ତେ ଚାହୁଁଥିଲେ ସମୟ ଅଟକିଯାଉ, ବସନ୍ତର ମଳୟ ପବନ ବହୁଥାଉ । ଏହି ପୁରାତନ ଛାତ୍ରମାନେ ଫେରି ଯାଆନ୍ତୁ ଅତୀତକୁ । ସେହି ପିଲାଦିନକୁ ବହି ବସ୍ତାନି କାନ୍ଧରେ ପକାଇବା ଦିନକୁ । କିନ୍ତୁ ଏ ତ ସମ୍ଭବ ନଥିଲା, ଶାରୀରିକ ଅସୁସ୍ଥତା, ବୟସର ଭାରାକ୍ରାନ୍ତରେ ସମସ୍ତେ ନଇଁ ଆସିଥିଲେ । କିନ୍ତୁ ମନ ଭିତରେ ସେଇ ତାରୁଣ୍ୟର ଉଦାମତା ସେମିତି ରହି ଯାଇଥିଲା । ଆମ ଗହଣରୁ ହଜି ଯାଇଥିବା କିଛି ପୁରାତନ ଛାତ୍ରମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିସାରିବା ପରେ ଭଗବାନଙ୍କୁ ଡାକୁଥିଲୁ ହେ ପ୍ରଭୁ, ଏତିକି ଆଶୀର୍ବାଦ କରନ୍ତୁ, ଆଗାମୀ ବନ୍ଧୁମିଳନ ପର୍ଯ୍ୟନ୍ତ ସମସ୍ତେ ସୁସ୍ଥରେ ରୁହନ୍ତୁ ।

ସୂର୍ଯ୍ୟ ବୁଡ଼ି ଆସୁଥିଲେ ସୁନେଲି କିରଣରେ ସମସ୍ତଙ୍କ ମୁହଁ ଭାରି ଭାରି ଲାଗୁଥିଲା । ଆମେ ବିଦାୟ ନେଇଥିଲୁ ପୁଣି ମିଶିବାର ପ୍ରତିଶ୍ରୁତି ଦେଇ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଭାନୁପ୍ରକାଶ ଜେନା, ଅବନୀ କୁମାର ଦାସ, ଗୌରୀ ଶଙ୍କର ସାହୁ, ପ୍ରସନ୍ନ କୁମାର ରାଠୋର, ଦେବୀ ପ୍ରସାଦ ପ୍ରଧାନ, ବିନାୟକ ପ୍ରସାଦ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ମାନସ ରଞ୍ଜନ ସାହୁ, ପ୍ରାଣକୃଷ୍ଣ ପ୍ରସାଦ, ଦିଲ୍ଲୀପ ସାହୁ, ଏ. ଶ୍ରୀନିବାସ ଚନ୍ଦ୍ର, ସଞ୍ଜୀବ କିଶୋର କାନୁନଗୋ, କମଳାକାନ୍ତ ସାହୁ, ବିମ୍ବାଧର ସ୍ୱାଇଁ, ଅମୀୟ କୁମାର ମିଶ୍ର, ରଜନୀକାନ୍ତ ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର, କେଦାରନାଥ ରାଉତ, ତାପସ ରଞ୍ଜନ ରାୟ, ଚିର ରଞ୍ଜନ ମହାପାତ୍ର, ସମୀର କୁମାର ଭଦ୍ର, ଅସିତ୍ କୁମାର ସାହୁ, ବିଶ୍ୱନାଥ ସାମନ୍ତରାୟ, ଜ୍ୟୋତିରଞ୍ଜନ ଜେନାମଣି, ଶୁଭେନ୍ଦୁ ନାୟକ, ଜିତେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ଏ. ବିଜୟ କୁମାର, ଲିଙ୍ଗରାଜ ସାମନ୍ତରାୟ, ଦେବବ୍ରତ ମହାନ୍ତି, ଲୋକନାଥ ଦାଶ, ବିଭୂତି ଭୂଷଣ ଦଳବେହେରା, ସୁବାସ ସରାବ ଓ ବିଶ୍ୱନାଥ ପତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *