ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା  ପ୍ରସ୍ତୁତି ବୈଠକ

ଯାଜପୁର, ୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ, ପ୍ରତ୍ୟେକ ବ୍ଲକ୍ ଓ ତହସିଲରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ। ସମସ୍ତ ଅଚଳ ନଳକୂପର ମରାମତି ସହିତ ପାଇପ ୱାଟର ସପ୍ଲାଏ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଲକ୍ ପ୍ରଶାସନ, ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତତ୍ପର ହେବା ସହ ଅଚଳ ନଳକୂପ ଓ ପାଇପ ଲାଇନ୍ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ଼ କରି ରଖିବା ସହ ଜଳ ସମ୍ପର୍କିତ ଯେଭଳି କୌଣସି ଅଭିଯୋଗ ନ ଆସେ ସେଥି ପ୍ରତି ଧ୍ୟାନ ଦେବାକୁ ଆଲୋଚନା ହୋଇଛି। ଜଳକ୍ଲୀଷ୍ଟ ଅଂଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇବାକୁ ପାନୀୟ ଜଳଯୋଗଣ ଓ ପରିମଳ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ୱାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟମାନଙ୍କରେ ଅଂଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବା, ଲୋକମାନେ ପ୍ରଚଣ୍ଡ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଛତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ।

ଜଳଛତ୍ରରେ ରଖାଯାଇଥିବା ପାଣିକୁ ବିଶୁଦ୍ଧ ଭାବେ ରଖିବା, ଜନ ଗହଳିପୂର୍ଣ୍ଣ ସ୍ଥାନରେ ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳ ରଖିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସେବା ଉପଲବ୍ଧ କରାଇ ନିୟମିତ ଭାବେ ଯାଞ୍ଚ କରି ପଦକ୍ଷେପ ନେବା, ବିଭିନ୍ନ ଜନ ଗହଳି ସ୍ଥାନ ରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ବ୍ୟବସ୍ଥା କରିବା ଉପରେ ଆଲୋଚନା ହୋଇଥିଲା।ବ୍ଲକ୍, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ଅନୁରୂପ ଭାବେ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ ପ୍ୟାକେଟ ସହ ଅଂଶୁଘାତ ଚିକିତ୍ସା କକ୍ଷ ବ୍ୟବସ୍ଥା କରିବା, ବରଫ, ଏସି ରୁମ୍, କୁଲର୍ ବ୍ୟବସ୍ଥା କରିବା, ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପଶୁମାନଙ୍କ ପାଇଁ ଗାଁ ର ପ୍ରବେଶ ପଥରେ ନଳକୂପ ଥିବା ସ୍ଥାନ ମାନଙ୍କରେ ଜଳ କୁଣ୍ଡର ବ୍ୟବସ୍ଥା କରିବା,  କର୍ମସ୍ଥଳରେ ପାନୀୟ ଜଳ, ଓ.ଆର.ଏସ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପାନୀୟ ଜଳ ର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲ୍ଲପାଳ ନିର୍ଦେଶ ଦେଇଥିଲେ।ବୈଠକରେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ, ବି.ଡି.ଓ ଏବଂ ତହସିଲଦାର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଅଶୋକ କୁମାର ବେହେରା ବୈଠକ ର ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *