ଜିଲ୍ଲା ବିଜେଡି ରେ ଯୋଗ୍ୟ ନେତା ଙ୍କୁ ଦାୟିତ୍ଵ : କର୍ମୀ ଉତ୍ସାହିତ

ଭୁବନ ୧୫/୦୨/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୂର୍ବତନ ବିଧାୟକ ଡା. ନୃସିଂହ ଚରଣ ସାହୁ ଙ୍କୁ ଦାୟିତ୍ଵ ଦିଆଯିବା ପରେ ଏବେ ୯ ଜଣ ଉପ ସଭାପତି, ୨୦ ଜଣ ସାଧାରଣ ସମ୍ପାଦକ,୧୭ ଜଣ ସମ୍ପାଦକ ଓ ଜଣଙ୍କୁ କୋଷାଧ୍ୟକ୍ଷ ( ସମୁଦାୟ ୪୭ ଜଣ ) ଙ୍କୁ ନେଇ ଜିଲ୍ଲା କମିଟି ଗଠନ କରାଯାଇଛି । ଜିଲ୍ଲା କମିଟି ରେ ଯୋଗ୍ୟ ନେତା ଙ୍କୁ ଦାୟିତ୍ଵ ଦିଆଯିବା ପରେ କେବଳ ଦଳୀୟ କର୍ମୀ ନୁହନ୍ତି ,ଜନ ସାଧାରଣ ମଧ୍ୟ ଉତ୍ସାହିତ ହୋଇଛନ୍ତି । ବିଜେଡି ସୁପ୍ରିମୋ , ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ଅଞ୍ଚଳର ଟାଣୁଆ ନେତା ସୁଧାକର ସାହୁ ( ଉପ ସଭାପତି) ଙ୍କ ସମେତ ନରେନ୍ଦ୍ର କୁମାର ସାହୁ,ଅଭିମନ୍ୟୁ ବେହେରା ,ଅଜୟ ସେଠୀ,ଦିଲ୍ଲୀପ ଷଣ୍ଢ, ସୋମନାଥ ମହାରଣା ଙ୍କୁ ସାଧାରଣ ସମ୍ପାଦକ ଏବଂ ବିଶ୍ୱଜିତ୍ ବାରିକ,ପିଣ୍ଟୁ ଦାସ ଙ୍କୁ ସମ୍ପାଦକ ଦାୟିତ୍ଵ ପ୍ରଦାନ କରାଯାଇଛି ।

ଉପରୋକ୍ତ ସମସ୍ତେ ଯୋଗ୍ୟ,ଦକ୍ଷ,ଅଭିଜ୍ଞତା ସମ୍ପନ୍ନ ନେତା ହୋଇଥିବାରୁ କର୍ମୀ ମାନେ ଉତ୍ସାହିତ ହୋଇଛନ୍ତି । ଭୁବନ ବ୍ଲକ ର ବରିଷ୍ଠ ବିଜେଡି ନେତା ସୁଧାକର ସାହୁ ଙ୍କୁ ଜିଲ୍ଲା ବିଜେଡି ଉପ ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି ।ଶ୍ରୀଯୁକ୍ତ ସାହୁ ୨୦୦୨- ୨୦୦୭ ପର୍ଯ୍ୟନ୍ତ ଅରଖପାଳ ପଞ୍ଚାୟତର ସମିତିସଭ୍ୟ ଏବଂ ତାଙ୍କ ପତ୍ନୀ ମାନିନୀ ସାହୁ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସମିଟିସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ୨୦୧୨ ରେ ଭୁବନ ବ୍ଲକ ବିଜେଡି ସଭାପତି ଭାବେ ଦାୟିତ୍ଵ ନେଇ ୧୯୯୭ ରୁ ୨୦୧୨ ଦୀର୍ଘ ୧୫ ବର୍ଷର କଂଗ୍ରେସ ଶାସନ କୁ ହଟାଇ ପ୍ରଥମ ଥର ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ କ୍ଷମତାସୀନ କରାଇଥିଲେ । ଶ୍ରୀଯୁକ୍ତ ସାହୁ ପୂର୍ବରୁ ଜିଲ୍ଲା ଉପ ସଭାପତି ଓ ଜିଲ୍ଲା ସମ୍ପାଦକ ଭାବେ ବେଶ୍ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ । ସୁଧାକର ସାହୁ ଜଣେ ଧୂରିଣ ରାଜନୀତିଜ୍ଞ ତଥା ଭୁବନ ବ୍ଲକ ଚାଣକ୍ୟ ଭାବେ ପରିଚିତ।

ଅଭିମନ୍ୟୁ ବେହେରା ଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଇଛି । ଶ୍ରୀଯୁକ୍ତ ବେହେରା ପୂର୍ବରୁ ମଠକରଗୋଳା ପଞ୍ଚାୟତ ର ସରପଞ୍ଚ ଥିଲେ । ସମବାୟ ନେତା ଭାବେ ପରିଚିତ ଶ୍ରୀଯୁକ୍ତ ବେହେରା ବର୍ତ୍ତମାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ନରେନ୍ଦ୍ର କୁମାର ସାହୁ ଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଇଛି । ଶ୍ରୀଯୁକ୍ତ ସାହୁ ପୂର୍ବରୁ ଭୁବନ ଏନ୍ ଏ ସି ବିଜେଡି ସଭାପତି ଭାବେ ବେଶ୍ ଦକ୍ଷତାର କର୍ଯ୍ୟ କରିଥିଲେ ଓ ଗତ ପୌର ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇଥିଲେ ।

ଅଜୟ ସେଠୀ ଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଇଛି। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଛାତ୍ର ସଂସଦ ସଂପାଦକ ରୁ ଛାତ୍ର ନେତା ଭାବେ ନିଜ ରାଜନୈତିକ କ୍ୟାରିଅର ଗଢି ପରବର୍ତୀ ସମୟରେ ଜିଲ୍ଲା ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।

ସୋମନାଥ ମହାରଣା ଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଇଛି।

ଶ୍ରୀଯୁକ୍ତ ମହାରଣା ୨୦୦୧ ରେ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପ୍ରାଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ସ୍ୱଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କିନ୍ତୁ ସେହିଠାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ଗତ ପୌର ନିର୍ବାଚନ ସମୟରେ ଶ୍ରୀଯୁକ୍ତ ମହାରଣା ତାଙ୍କ ଦକ୍ଷତା ପ୍ରଦର୍ଶନ କରି କାଉନସିଲର ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇଥିଲେ ।

ଦିଲ୍ଲୀପ ଷଣ୍ଢ ଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଇଛି। ଭୁବନ ବ୍ଲକ ର ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ଖ୍ୟାତି ରହିଛି । ବିଶ୍ୱଜିତ୍ ବାରିକ ଓ ପିଣ୍ଟୁ ଦାସ ଙ୍କୁ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଇଛି। ବିଶ୍ୱଜିତ୍ ପୂର୍ବରୁ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭାବେ ଦାୟିତ୍ଵ ନେଇ ଗତ ପୌର ନିର୍ବାଚନରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ଉଭୟ ଯୁବନେତା ତଥା ଦୃଢ଼ ସଂଗଠକ ଭାବେ ପରିଚିତ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଜିଲ୍ଲା ବିଜେଡି ସଭାପତି ଡ଼ା. ନୃସିଂହ ଚରଣ ସାହୁ ଯେଉଁ ଅତୁଟ ଭରସା ଓ ବିଶ୍ୱାସ ରଖି ଗୁରୁ ଦାୟିତ୍ଵ ଅର୍ପଣ କରିଛନ୍ତି ସେଥିଯୋଗୁ ଉପରୋକ୍ତ ନେତା/କାର୍ଯ୍ୟକର୍ତ୍ତା ମାନେ ହାର୍ଦ୍ଦିକ ଅଭିନନ୍ଦନ ଓ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ବିରୋଧୀ ଦଳରେ ରହି ଶାସକ ଦଳକୁ କିଭଳି ଟକ୍କର ଦେବେ ତାହା ସମୟ କହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *